ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର(ରାଜ୍ୟକାହାଣୀ)  ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଜେଲ୍ ଯିବେ । ବୁଧବାର ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ନିମ୍ନ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ରାମମୂର୍ତ୍ତି । ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ ଟି ଦସ୍ତାବିଜ ଆଧାରରେ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ | ଆଇପିସି ଦଫା-୩୦୨(ହତ୍ୟା)ରେ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଥିଲେ। ସେହିପରି ଦଫା-୨୦୧(ପ୍ରମାଣ ନଷ୍ଟ କରିବା)ରେ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଥିଲା। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ଦୁଇଟି ଯାକ ଦଣ୍ଡ ଏକାସାଙ୍ଗରେ ଲାଗୁ ହେବ। ରାଜ୍ୟରେ ଏମପି, ଏମ୍‌ଏଲ୍‌ଏଙ୍କ ମାମଲା ଆଦିର ତ୍ବରିତ ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ହେବା ପରେ ଏହା ପ୍ରଥମ ଦଣ୍ଡାଦେଶ। ତେବେ ୧୯୯୫ ଅଗଷ୍ଟ ୨୯ ତାରିଖରେ ରାମମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀ ଶଶୀରେଖାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଖାରବେଳନଗର ସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ଥିବା ସରକାରୀ ଘରୁ ଶଶୀରେଖାଙ୍କ ପୋଡ଼ା ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣା ଦିନ ୧୦ଟା ୪୫ ମିନିଟ୍‌ରେ ରାମମୂର୍ତ୍ତି ପୋଲିସକୁ ଖବର ଦେଇଥିଲେ ଯେ, ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟା ବୋଲି ପୋଲିସ ଜାଣିବା ସହ ଗମାଙ୍ଗଙ୍କର ଏହି ଘଟଣାରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା। ସେହି ଆଧାରରେ ପୋଲିସ ଏହି ଘଟଣାରେ ପ୍ରଥମେ ଅପମୃତ୍ୟୁ ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା।

Leave A Reply

Your email address will not be published.

3 × 3 =