ଗୁଣିଗାରେଡ଼ି ପୂଜା ବେଳେ ମାଟିତଳେ ପୋତି ହୋଇ ଜଣେ ମୃତ, ଦୁଇ ଗୁଣିଆ ଅଟକ

ଭୁବନେଶ୍ୱର (ରାଜ୍ୟକାହାଣୀ )ଗୁଣିଗାରେଡ଼ି ନେଲା ଜୀବନ । ଗୁଣିଗାରେଡ଼ି ପୂଜା ବେଳେ ମାଟିତଳେ ପୋତି ହୋଇ ଜଣେ ମୃତ। କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରେ ବିଭିନ୍ନ ସମୟରେ ଅକାରଣରେ ପାଟିତୁଣ୍ଡ ହେଉଥିଲା । ଯେତେ ଉପାର୍ଜନ କଲେ ବି ଅଣ୍ଟୁନଥିଲା । ଅଶାନ୍ତି ଲାଗି ରହୁଥିଲା । ତେଣୁ ଘରେ କେମିତି ସୁଖଶାନ୍ତି ଫେରିବ ଓ ପୁଣି ସ୍ୱାଭାବିକ ସବୁ ଚାଲିବ ସେଥିପାଇଁ ତାନ୍ତ୍ରିକଙ୍କ ପରାମର୍ଶ ଲୋଡ଼ିଥିଲେ । ତାନ୍ତ୍ରିକ କହିଥିଲେ କି ଘର ଆଖପାଖରେ ଅତୃପ୍ତ ଆତ୍ମା ଘୂରି ବୁଲୁଛି । ଏହି ଅତୃପ୍ତ ଆତ୍ମା କେହି ନୁହେଁ ବରଂ ଅଗଣାରେ ବହୁବର୍ଷ ଆଗରୁ ପୋତି ହୋଇ ରହିଥିବା ଅଶରୀରୀ । ଏହି ଆତ୍ମାକୁ ଦାହସଂସ୍କାର ନକରି ପୋତି ଦିଆଯାଇଥିବାରୁ ତା’ ଆତ୍ମା ଅଶାନ୍ତ ହୋଇ ବୁଲୁଛି । ଖୋଳିଲେ ମାଟି ତଳୁ କଙ୍କାଳ ଉଦ୍ଧାର ହେବ ଓ ପ୍ରଚୁର ସୁନା, ରୁପା, ହୀରା, ମୋତି, ମାଣିକ ମଧ୍ୟ ମିଳିବ ।କଙ୍କାଳକୁ ଉଦ୍ଧାର କରି ରୀତିନୀତି ଅନୁସାରେ ସଂସ୍କାର ପରେ ଗୁପ୍ତଧନ ଭୋଗ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ତାନ୍ତ୍ରିକ କହିଥିଲେ । ଆଉ ଆଜି ଗୃହକର୍ତ୍ତା, ୩ ଜଣିଆ ତାନ୍ତ୍ରିକ ଟିମ୍‌ ସହ ଘର ଅଗଣାରେ ପ୍ରାୟ ୧୦ ଫୁଟ୍‌ର ଗାତ ଖୋଳୁଥିବା ବେଳେ ନିଜେ ଶବ ହୋଇ ଯାଇଛନ୍ତି । ଖବରମୁତାବକ, ପାଳକଣା ଗାଁ ଜଗବନ୍ଧୁ ମହାରଣାଙ୍କ ନିଜ ଘରେ ଚାଲିଥିଲା ଗୁଣି ଗାରେଡ଼ି । ଗୁଣିଗାରେଡ଼ି ପାଇଁ ୧୦ ଫୁଟ ଗଭୀର ଗାତ ଭିତରେ ଚାଲିଥିଲା ପୂଜା । ଏହି ସମୟରେ ହଠାତ୍ ମାଟି ଧସି ଯାଇଥିଲା । ଫଳରେ ମାଟିତଳେ ଚାପି ହୋଇ ଜଗବନ୍ଧୁ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଜଣେ ଫେରାର ଥିବାବେଳେ ଦୁଇ ଗୁଣିଆ ଅଟକ ଅଛନ୍ତି। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

You might also like