ଦୁଇଦିନ ହେଲା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ବର୍ଷା। ଜାରି ରହିଛି କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା। ବର୍ଷା ଯୋଗୁଁ ବିଲରେ ଅମଳ ଧାନ ଗଜା ହେବା ଅବସ୍ଥାକୁ ଆସିଲାଣି। ଯାହାକୁ ସପ୍ତାହେ ପୂର୍ବରୁ ଦେଖି ଚାଷୀ ଭାଇ ଠୋ ଠୋ କରି ହସୁଥିଲା ଆଜି ସେହି ସୁନାର ଫସଲର ଏପରି ଅବସ୍ଥା ଦେଖି ତା ଛାତିଫାଟିପଡୁଛି । ଚଳିତ ବର୍ଷ ବିଲରେ ଫସଲ ଭଲ ହୋଇଥିବାରୁ ଏଇ ଦିନ ଦୁଇ ଦିନ ଭିତରେ ଘରକୁ ଆଣି ଅମଳ କରି ଏଥର ଲାଭ ଭଲ ହେବ ବୋଲି ଯେଉଁ ଆଶା ରଖିଥିଲା ଏବେ ଅଦିନିଆ ବର୍ଷା ସେ ଆଶକୁ ଭାଙ୍ଗି ଚୁନମାର କରିଛି । କୋଉଠି ବିଲରେ ଧାନ ଗଜା ହେଲାଣି ତ ଆଉ କେଉଁଠି ବିଲରେ ଖତ ହେଉଛି ପନିପରିବା ସାଙ୍ଗକୁ ଅନେକ ଫସଲ । ଆଉ ସାରା ରାଜ୍ୟରେ ଜମିରେ ଭାସୁଛି ଧାନକେଣ୍ଡା । ବର୍ଷକର ପରିଶ୍ରମ ପାଣିରେ ଭାସୁଥିବା ଦେଖି ଏବେ ମୁଣ୍ଡରେ ହାତ ଦେଇଛି ଚାଷୀ ଭାଇ ।ଅଦିନିଆ ବର୍ଷାରେ ବାଇଗଣ ପଚିଗଲା, ଗଛ ବି ପଚିଗଲାଣି। ସେମିତି କୋବି ଫସଲ, ବିଲାତି ବାଇଗଣ, ଚାଷ ପ୍ରଭାବିତ ହୋଇଛି। ଗଛ ମୂଳରୁ ପାଣି ନକାଟିଲେ ଗଛ ପଚିଯିବାର ଆଶଙ୍କା। ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, ପୁରୀ ଅଞ୍ଚଳ ମାନଙ୍କରେ ବେଶୀ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି । ତେବେ ଏହାକୁ ନେଇ ରାଜସ୍ବ ମନ୍ତ୍ରୀ ଚାଷୀ ଭାଇଙ୍କୁ ସମସ୍ତ ସହାୟତା ମିଳିବ ବୋଲି ମନ୍ତବ୍ୟ ଦେଇଥିବା ବେଳେ ଆଜି ଯୋଗାଣ ମନ୍ତ୍ରୀ ଯଥା ସମ୍ଭବ ଚାଷୀ ଭାଇଙ୍କୁ ସାଥ୍ ଦିଆଯିବ ବୋଲି କହିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି । ନିଜ ନିଜ ଅଞ୍ଚଳରେ ଚାଷୀମାନଙ୍କର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ।