ମହାରାଷ୍ଟ୍ରରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ସ୍ବତନ୍ତ୍ର ଅଧିବେଶନ । ନିର୍ବାଚନୀ ବିଫଳତା ପରେ ଏମଭିଏ ପୁଣି ସଂଗଠିତ ହେବାକୁ ପ୍ରୟାସ କରୁଛି ଆଉ ବିଧାୟକଙ୍କ ଶପଥ ଗ୍ରହଣକୁ ବର୍ଜନ କରିଛି । ଏଥିରେ ଶିବସେନା ଉଦ୍ଧବ ବିଧାୟକମାନେ କକ୍ଷତ୍ୟାଗ କରି ରାଜନୈତିକ ଉଷ୍ମତାକୁ ଆଞ୍ଚ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶନିବାର ମହାରାଷ୍ଟ୍ର ବିଧାନସଭାର ୩ ଦିବସୀୟ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ତେବେ ଅନ୍ୟ ବିଧାୟକଙ୍କୁ ଶପଥପାଠ କରାଇଛନ୍ତି କାମଚଳା ବାଚସ୍ପତି। ପୁଣି ଥରେ ସରକାରକୁ ଫେରିଥିବା ମହାୟୁତି ଏଥର କ୍ଷମତା ଦଖଲ କରିଛି । 3 ଦିନ ଧରି ଚାଲିବାକୁ ଥିବା ଏହି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ବିଧାୟକ ଭାବେ ଶପଥ ଗ୍ରହଣ କରିଥିଲେ । ମହାରାଷ୍ଟ୍ରର ୧୫ ତମ ବିଧାନସଭା ସମୂର୍ଣ୍ଣ ଅଧିବେଶନ ଆସନ୍ତା ୧୬ ଡିସେମ୍ବରରୁ ନାଗପୁରରୁ ଆରମ୍ଭ ହେବ । ତେବେ ମହାରାଷ୍ଟ୍ର ବିଧାନସଭାରେ ଆସନ୍ତା 9ରେ ବାଚସ୍ପତି ଚୟନ ହେବ । ଏହାପରେ ୧୧ ଓ ୧୨ ରେ ମନ୍ତ୍ରୀମଣ୍ଡଳର ବିସ୍ତାର ଓ ବିଭାଗ ବଣ୍ଟନ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ବିଧାନସଭାରେ ଶିବସେନା ଉଦ୍ଧବ ଗୋଷ୍ଠୀର ବିଧାୟକମାନେ ଶପଥପାଠ କରିବାକୁ ମନା କରିଥିଲେ। ଏହା ସହ ଏମଭିଏର ଅନ୍ୟ ବିଧାୟକମାନେ ମଧ୍ୟ ଶପଥପାଠ କରିନଥିଲେ। କାରଣ ସେମାନଙ୍କର ଇଭିଏମ ଉପରେ ସନ୍ଦେହ ରହିଛି। ସେମାନେ ନିର୍ବାଚନ ଫଳାଫଳକୁ ଜନତାଙ୍କ ଜନାଦେଶ ବୋଲି ସ୍ୱୀକାର କରି ନାହାନ୍ତି। ଏହା ପରେ ଶିବସେନା ଉଦ୍ଧଗୋଷ୍ଠୀ ବିଧାୟକମାନେ ୱାକଆଉଟ୍ କରିଥିଲେ।