୧୯ ଓ ୨୦ରେ ପୁରୀରେ ରାଜ୍ୟ ବିଜପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର(ରାଜ୍ୟକାହାଣୀ): ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୧୯ ଓ ୨୦ତାରିଖରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୁରୀଠାରେ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସଭାପତିତ୍ୱରେ ୧୯ ତାରିଖ ସକାଳେ ପ୍ରଥମେ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହେବ । ଏହା ପରେ ଅନୁଷ୍ଠିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଉଦଘାଟନ କରିବେ । ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂସଲ. ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ସୁଚନା ଦେଇଛନ୍ତି ।

କେନ୍ଦ୍ରରେ ଲଗାତାର ତୃତୀୟ ଥର ଏବଂ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବା ପରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି ଓ ସାଧାରଣ ସଂପାଦକ, ଲୋକସଭା ସଂଯୋଜକ ଓ ପ୍ରଭାରୀ, ବିଧାନସଭା ସଂଯୋଜକ ଓ ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀମାନେ ଯୋଗ ଦେବେ ବୋଲି ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି । ଓଡିଶାବାସୀଙ୍କ ଆର୍ଶୀବାଦରୁ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିବାର ସୁଯୋଗ ପାଇଛି । ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରି ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ । ଏହି କାର୍ଯ୍ୟକାରିଣୀ ବୈଠକରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।

Leave A Reply

Your email address will not be published.

10 + five =