ପୋଲିସ ବାନ୍ଧିବ ପ୍ରଶାନ୍ତଂକୁ?

ଭୁବନେଶ୍ୱର(ରାଜ୍ୟକାହାଣୀ)ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବେ ପୋଲିସ ହେପାଜତରେ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଂଚଳ ଆଇଜି କହିଛନ୍ତି, ଆଜି ବ୍ଲକ ଅଧ୍ୟକ୍ଷ ପଦ ଲାଗି ନିର୍ବାଚିତ ହେଉଥିଲା । ଏଥିପାଇଁ ଅନେକ ସମିତି ସଭ୍ୟ, ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ସାଧାରଣ ଲୋକେ ବାଣପୁର ବ୍ଲକ ନିକଟରେ ରୁଣ୍ଡ ହୋଇଥିଲେ । ଏହି ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବ୍ଲକକୂ ଆସିଥିଲେ । ଅଧିକ ଲୋକଙ୍କ ଭିଡ଼ ଥିବାରୁ ବାଣପୁର ଥାନା ଅଧିକାରୀ ବିଧାୟକଙ୍କୁ ନଯିବାକୁ ବାରଣ କରିଥିଲେ । ହେଲେ ତାଙ୍କୁ ଧମକଚମକ ଦେବା ସହ ଗାଡି ଚଢାଇ ଦେବାକୁ ଚେତାବନୀ ଦେଇଥିଲେ । ପରେ ସେ ଭିଡ଼ ଭିତରକୁ ଗାଡି ମଡାଇ ଦେଇଥିଲେ । ଏହି ଘଟଣାରେ ୬ଜଣ ସାଧାରଣ ଲୋକ, ୧୦ ଜଣ ପୋଲିସ କର୍ମଚାରୀ ଓ ଦୁଇଜଣ ସାମ୍ବାଦିକ ଆହତ ହୋଇଛନ୍ତି ।ବିଧାୟକ ଯେଉଁଭଳି ଭାବେ ଅମାନୁଷିକ ଘଟଣା ଘଟାଇଲେ, ସେ ନେଇ ବାଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ହତ୍ୟା ଉଦ୍ୟମ ଓ ସାଧାରଣ ଲୋକଙ୍କୁ ଧମକଚମକ ଦେବା ଭଳି ଅନେକ ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ରହିଛି । ବିଶେଷ କରି ପୋଲିସକୁ କାର‌୍ୟ୍ୟରେ ବାଧା ଦେବା ସହ ଆଇନଭାଙ୍ଗି ଗାଡିକୁ ଅସ୍ତ୍ର ଭାବେ ବ୍ୟବହାର କରି ହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି । ତେବେ ସେ ଲୋକଙ୍କ ଆକ୍ରୋଶର ଶୀକାର ହୋଇ ଚିକିତ୍ସିତ ହେଉଥିଲେ । ସେ ପୋଲିସ ହେପାଜତରେ ଚିକିତ୍ସିତ ହେଉଛନ୍ତି । ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ । ହେଲେ ପ୍ରଶ୍ନ ଉଠୁଛି, ସେ ଗିରଫ ହେବା ପରେ ଜେଲ ଯିବେ, ନା ପୁଣି ଅଭିନୟ କରି ହସପିଟାଲରେ ଆରାମ କରିବେ?

ସେହିପରି ବାଣପୁରରେ ପରିସ୍ଥିତି ଏବେ ଶାନ୍ତ ପଡିଛି । ପୋଲିସ ବ୍ଲକ ପରିସର ଓ ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଜଣେ ଡିଏସପି ଘଟଣାର ତଦନ୍ତ କରୁଛନ୍ତି । ତଦନ୍ତ ବେଳେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ, ଭିଡ଼ିଓ ଫୁଟେଜ ଓ ଫଟୋକୁ ପ୍ରମାଣ ସ୍ୱରୂପ ଗ୍ରହଣ କରାଯିବ । ଆବଶ୍ୟକସ୍ଥଳେ ପ୍ରଶାନ୍ତ ଜଗଦେବଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯିବ ବୋଲି ଆଇଜି ଶ୍ରୀଭୋଳ କହିଛନ୍ତି ।

ଅନ୍ୟପକ୍ଷରେ ବିଧାୟକଙ୍କ ଗିରଫଦାରୀ ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ପୂର୍ବରୁ ବିଜେପି ନେତାଙ୍କୁ ମାଡ ମାରି ଗିରଫ ହେବା ପରେ ବିଧାୟକଙ୍କୁ କୌଶଳକ୍ରମେ ହସପିଟାଲରେ ରଖାଯାଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା, ମାତ୍ର ସେ ସେଠାରେ ମଉଜ କରିଥିଲେ । ଜାମିନ ମିଳିବା ପରେ ହଠାତ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । ଯାହା ତାଙ୍କ ମିଛ ଅଭିନୟକୁ ପଦାରେ ପକାଇ ଦେଇଥିଲା । ତେବେ ଏଥର ଗିରଫଦାରୀ ପରେ ପୁଣି ତାଙ୍କୁ ହସପିଟାଲରେ ରଖାଯିବନି ତ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ସେପଟେ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ ମଧ୍ୟ ବହିଷ୍କାର କରିବ କି ନାହିଁ? ସେ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

5 × five =