ସମ୍ ନର୍ସିଂ କଲେଜ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର:(ରାଜ୍ୟକାହାଣୀ)ଏପ୍ରିଲ୍ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅରିଶୋଲ୍ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । “ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ” ପ୍ରସଙ୍ଗକୁ ଆଧାର କରି କମ୍ୟୁନିଟି ହେଲ୍‌ଥ ବିଭାଗର ଫାକଲ୍ଟି ଏବଂ ଏମ୍‌.ଏ.ସି ନର୍ସିଂର ପ୍ରଥମ ଓ ଦ୍ୱିତୀୟ ବର୍ଷର
ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇଥିଲା ।
ଏହି ସ୍ୱାସ୍ଥ୍ୟ ମେଳାରେ ୫ଟି ଷ୍ଟଲ୍‌ର ଆୟୋଜନ କରାଯାଇଥିଲା । ସବୁ ବୟସର ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସଚେତନତା ସମ୍ପର୍କିତ ସୂଚନା ଦିଆଯାଇଥିଲା । ରକ୍ତଚାପ, ମଧୁମେହ ଏବଂ ଓଜନ ଇତ୍ୟାଦି ପରୀକ୍ଷା କରାଯାଇଥିଲା । ସଂକ୍ରମଣ ସମ୍ବନ୍ଧୀୟ ସୂଚନା ଓ ସେବା, ମା ଏବଂ ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା,
ସୁଷମ ଖାଦ୍ୟ ଓ ତା’ର ଉପକାରିତା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଭିନ୍ନ ଔଷଧ ଏବଂ ଝିଅମାନଙ୍କୁ ସାନିଟାରୀ ପ୍ୟାଡ୍ ବଂଟନ କରାଯାଇଥିଲା । ଯେଉଁ ଲୋକମାନଙ୍କର କିଛି ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଜଣାଗଲା ସେମାନଙ୍କୁ ରୁରାଲ୍ ହେଲ୍‌ଥ ଟ୍ରେନିଂ ସେଂଟର (ଆର୍‌ଏଚ୍‌ଟିସି)କୁ ପଠାଯାଇଥିଲା ।
ତିନୋଟି ଗ୍ରାମର ବହୁ ସଂଖ୍ୟକ ଲୋକ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇ ଉପକୃତ ହୋଇଥିଲେ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ କ୍ରୀଡାରେ ମଧ୍ୟ ଭାଗ ନେଇଥିଲେ ।

Leave A Reply

Your email address will not be published.