ରାଜ୍ୟସଭା ନିର୍ବାଚନ:ନବୀନଙ୍କ ଗୋଟି ଚାଳନାରେ ଭକୁଆ ରାଜ୍ୟ ବିଜେପି

ଭୁବନେଶ୍ୱର(ରାଜ୍ୟକାହାଣୀ): ଓଡ଼ିଶାରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ୪ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ ବିଜେପି କହିଛି ଆବଶ୍ୟକ ସଂଖ୍ୟକ ସଂଖ୍ୟା ନ ଥିବାରୁ ପ୍ରାର୍ଥୀ ଦିଆଯିବ ନାହିଁ । ଯଦିଓ ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ କୌଣସି ମତ ମନ୍ତବ୍ୟ ଦିଆଯାଇନି ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ସୂଚନା ଦେଇଛନ୍ତି । ଏହାକୁ ନେଇ ରାଜନୀତିକ ଗଣିତ ଚର୍ଚା ଜୋର ଧରିଛି । କିଛି ଦିନ ପୂର୍ବରୁ ଓଡିଶା ଆସିଥିବା ବିଜେପି ରାଷ୍ଟୀୟ ଚାଣକ୍ୟ ଅମିତ ଶାହ ନବୀନ ନିବାସ ଯାଇ ଗୋଟିଏ ଟେବୁଲରେ ବସି ନବୀନଙ୍କ ସହ ଭୋଜି ଖାଇଲେ । ଅବଶ୍ୟ ସେଠାରେ ବଙ୍ଗଳା ଦିଦି ବି ଉପସ୍ଥିତ ଥିଲେ । ତା ଛଡା ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ମଧ୍ୟ ଥିଲେ । କିନ୍ତୁ ତାରି ଭିତରେ ଅମିତ ଶାହାଙ୍କୁ ବିଜେଡି ମୁଖିଆ ଏଭଳି ମନ୍ତ୍ରଣା ଦେଲେ ଯେ ସେଠାରୁ ଗଲାପରେ ରାଜ୍ୟ ବିଜେପି ରାଜ୍ୟସଭା ନିର୍ବାଚନ କଥା ଭୁଲିଗଲା ।

ନବୀନ ନିବାସରେ ଅମିତ ଶାହ ଓ ନବୀନ ପଟନାୟକ କୋଳାକୋଳି ହେଲେ ଆଉ ରାଜ୍ୟ ବିଜେପି ନେତାଏ ଭକୁଆ ହୋଇଥିବା କଥା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଆଉ ଏସବୁର ସାକ୍ଷୀ ଅଛନ୍ତି ବିଜେପିର ଗେଲହାପୁଅ ବାବୁ ଧର୍ମେନ୍ଦ୍ର । ଏହି ଚର୍ଚ୍ଚା ଏବେ ସବୁଆଡେ ହେଉଛି । ଅମିତଙ୍କ ଗସ୍ତ ପୂର୍ବରୁ କୁହା ଯାଉଥିଲା ଯେ ଶାହ ନବୀନକୁ ଅନ୍ତତଃ ଗୋଟିଏ ରାଜ୍ୟସଭା ଆସନ ମାଗିବେ । କିନ୍ତୁ ଫଳ ସମ୍ପୂର୍ଣ ଓଲଟାଇଲା । ଆଉ ଏବେ ବିଜେଡିର ୪ଜଣ ଯାକ ପ୍ରାର୍ଥୀ ନିର୍ଦ୍ବନ୍ଦରେ ରାଜ୍ୟସଭା ଯିବା ନିଶ୍ଚିତ ହୋଇଛି ।

Leave A Reply

Your email address will not be published.