’କୋରୋନା’ ଆତଙ୍କ: ଉହାନରେ ଫସିଛନ୍ତି ୨୫ ଭାରତୀୟ ଛାତ୍ରଛାତ୍ରୀ, ଚୀନରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ନୂଆଦିଲ୍ଲୀ(ରାଜ୍ୟକାହାଣୀ) : ଭୟଙ୍କର ‘କୋରୋନା’ ଭାଇରସ୍‌ ଚୀନରେ ଆତଙ୍କ ସୃଷ୍ଟି କରିଥିବାବେଳେ ଶୁକ୍ରବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଦେଶର ଉହାନ ସହରରୁ ଏହି ଭୂତାଣୁ ବ୍ୟାପିଥିବା ଜଣାପଡ଼ିବା ପରେ ସେଠାରୁ କୌଣସି ନାଗରିକ ବାହାର ସହରକୁ ନ ଯିବା ଲାଗି ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ତେବେ ଉକ୍ତ ସହରରେ ୨୫ ଭାରତୀୟ ଛାତ୍ରଛାତ୍ରୀ ଫସିରହିଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୨୦ ଜଣ କେରଳର । ଉହାନ ସହରରେ ୧ କୋଟି ୧୦ ଲକ୍ଷ ନାଗରିକ ରହୁଥିବାବେଳେ ୮୩୦ ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଉହାନ ସହରରେ ଫଶିଥିବା ୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଉହାନଠାରୁ ୩୦୦ କିଲୋମିଟର ଦୂର ୟିଚାଙ୍ଗସ୍ଥିତ ଏକ ହସ୍ପିଟାଲରେ ଇଣ୍ଟର୍ନଶିପ୍‌ କରୁଛନ୍ତି । ସେମାନେ କୁନମିଙ୍ଗ ବିମାନବନ୍ଦରରୁ ବିମାନ ଯୋଗେ କୋଲକାତା ଫେରିବାକୁ ଯୋଜନା କରୁଛନ୍ତି । ଚୀନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଚୀନରେ ରହୁଥିବା ଭାରତୀୟମାନଙ୍କ ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି ।

Leave A Reply

Your email address will not be published.