ଜେଲରେ ନିର୍ଭୟା ଦୋଷୀ ରୋଜଗାର କରିଛନ୍ତି ୧ଲକ୍ଷ ୩୭ହଜାର ଟଙ୍କା

ନୂଆଦିଲ୍ଲୀ(ରାଜ୍ୟକାହାଣୀ): ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀ ଏଯାଏଁ ଜେଲ ଭିତରେ ବିଭିନ୍ନ କାମ କରି ରୋଜଗାର କରିଛନ୍ତି ଏକ ଲକ୍ଷ ୩୭ହଜାର ଟଙ୍କା। ସମସ୍ତଙ୍କ ମଧ୍ୟରୁ ଅକ୍ଷୟ ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି। ବର୍ତ୍ତମାନ ତିହାର ଜେଲରେ ରାତି କାଟୁଛନ୍ତି ୪ ଅଭିଯୁକ୍ତ। ହେଲେ ସେମାନେ ରୋଜଗାର କରିଥିବା ଟଙ୍କାକୁ ଆଦୌ ଖର୍ଚ୍ଚ କରିନଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ଜେଲ ଭିତରେ ଏହି ଦୋଷୀମାନଙ୍କୁ ଯେଉଁ କାମ ଦିଆଯାଇଥିଲା ସେଥିପାଇଁ ଜେଲ ପ୍ରସାଶନ ପକ୍ଷରୁ ଦରମା ବି ମିଳିଛି। ଏବେ ପର୍ଯ୍ୟନ୍ତ ଅକ୍ଷୟ ୬୯ ହଜାର, ବିନୟ ୩୯ ହଜାର ଓ ପବନ ୨୯ ହଜାର ଟଙ୍କା ରୋଜଗାର କରିଛନ୍ତି। ଫାଶୀ ଦିଆଯିବା ଭିତରେ ଏମାନେ ଯଦି ରୋଜଗାର ଅର୍ଥ ଖର୍ଚ୍ଚ ନକରନ୍ତି ତେବେ ତାଙ୍କ ପରିବାର ଲୋକଙ୍କୁ ଏହି ଅର୍ଥ ଦିଆଯିବ।
ସେମାନେ ଗଲା ସାତ ବର୍ଷ ହେଲା ସଜ୍ଜାରେ ଅଛନ୍ତି । ଇତି ମଧ୍ୟରେ ସମସ୍ତଙ୍କ ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଏହି ୭ ବର୍ଷର କାରାଦଣ୍ଡ ମଧ୍ୟରେ ଏହି ଦୋଷୀମାନଙ୍କ ବ୍ୟବହାର କେମିତି ଥିଲା ଓ କିଏ ସବୁଠାରୁ ଅଧିକ ନିୟମ ଉଲ୍ଲଂଘନ କରି ଅଧିକ ଦଣ୍ଡ ଭୋଗୁଛି ସେ ନେଇ ତଥ୍ୟ ପଦାକୁ ଆସିଛି। ତିହାର ଜେଲରେ ଜେଲଦଣ୍ଡ ଭୋଗୁଥିବା ଅଭିଯୁକ୍ତ ବିନୟକୁ ଜେଲ ରହଣି ମଧ୍ୟରେ ସବୁଠାରୁ ଅଧିକ ଥର ଦଣ୍ଡ ମିଳିଛି। ତାଙ୍କ ପରେ ପବନ ଓ ମୁକେଶଙ୍କୁ ଦଣ୍ଡିତ କରାଯାଇଥିବା ବେଳେ ଅକ୍ଷୟ ସବୁଠାରୁ କମ୍ ଥର ଦଣ୍ଡିତ ହୋଇଛନ୍ତି। ଜେଲରୁ ମିଳିଥିବା ସୂଚନାନୁଯାୟୀ, ଜେଲରେ ମାରପିଟ୍ କରିବା ଓ ଅଧିକାରୀଙ୍କ ନିର୍ଦ୍ଦେଶକୁ ନମାନିବା କାରଣରୁ କଏଦୀଙ୍କୁ ଦଣ୍ଡିତ କରାଯାଏ। ନିର୍ଭୟା ଦୋଷୀ ବିନୟ ଜେଲରେ ରହିବା ଦିନଠୁ ଏବେ ପର୍ଯ୍ୟନ୍ତ ପ୍ରାୟ ୧୧ ଥର ନିୟମ ଉଲ୍ଲଂଘନ କରି ଦଣ୍ଡ ପାଇଛି । ସେହିପରି ପବନକୁ ଆଠ ଥର, ମୁକେଶକୁ ତିନି ଥର ଓ ଅକ୍ଷୟକୁ ମାତ୍ର ଥରେ ଦଣ୍ଡିତ କରାଯାଇଛି।

Leave A Reply

Your email address will not be published.