ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ୧ କୋଟି ୮ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ
ଭୁବନେଶ୍ୱର (ରାଜ୍ୟକାହାଣୀ )ସମ୍ବଲପୁର ଜିଲ୍ଲା ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ୧ କୋଟି ୮ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅନୁଦାନ ପ୍ରଦାନ କରାଯିବ। ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ସର୍ବମୋଟ ୨୧ଟି କମିଟିଙ୍କୁ ୧ କୋଟି ୮ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ । ଆସନ୍ତା ଜୁନ୍ ୧୫ ତାରିଖରୁ ଆରମ୍ଭ ହେବ ଶୀତଳ ଷଷ୍ଠୀ ଯାତ୍ରା । ଏଥିପାଇଁ ସପ୍ତାହକ ତଳେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଥିଲା ।ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, “ସମ୍ବଲପୁରର ଶୀତଳ ଷଷ୍ଠୀ ପର୍ବ ଆମ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଶୀତଳ ଷଷ୍ଠୀକୁ ଭବ୍ୟତାର ସହ ପାଳନ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।”