୨୮ରେ ଓଟିଇଟି ପରୀକ୍ଷା, ଆଜିଠୁ ବୋର୍ଡ ୱେବ୍‌ସାଇଟ୍‌ରେ ମିଳିବ ଆଡ୍‌ମିଟ୍‌ କାର୍ଡ

ଭୁବନେଶ୍ୱର (ରାଜ୍ୟକାହାଣୀ )ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆହ୍ୱାନ କରାଯାଇଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ।ଆବେଦନକାରୀମାନେ ଆଜିଠୁ ବୋର୍ଡ ୱେବ୍‌ସାଇଟ୍‌ରୁ ସେମାନଙ୍କ ଆଡ୍‌ମିଟ୍‌କାର୍ଡ ପାଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।ଆବେଦନକାରୀ ଫର୍ମପୂରଣ ସମୟରେ ଦେଇଥିବା ମୋବାଇଲ୍‌ ନମ୍ବର ଓ ପାସ୍‌ୱାର୍ଡ ବ୍ୟବହାର କରି ଆଡ୍‌ମିଟ୍‌ କାର୍ଡ ପାଇପାରିବେ। ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ୩୦ଟି ଜିଲ୍ଲାରେ ମୋଟ ୩୧୧ଟି ସେଣ୍ଟର୍‌ ଚୟନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା(ସିସିଟିଭି)ବଳୟରେ ରହିବ। ପ୍ରଶ୍ନପତ୍ରର ସୁରକ୍ଷା ଓ ପରୀକ୍ଷା ଆଗରୁ ପ୍ରଶ୍ନ ଭାଇରାଲ୍‌ ରୋକିବା ଲାଗି ପ୍ରଶ୍ନପତ୍ରଗୁଡ଼ିକ ଡିଜିଟାଲ୍‌ ଲକର୍‌ରେ ବୋର୍ଡ କାର୍ଯ୍ୟାଳୟରରୁ ସେଣ୍ଟର୍‌କୁ ଯିବ। ଆସନ୍ତା ୨୮ ତାରିଖରେ ଦୁଇଟି ଯାକ ପେପର୍‌ରେ ହେବାକୁ ଥିବା ପରୀକ୍ଷା ମଧ୍ୟରୁ ପେପର୍‌-୧ ସକାଳ ୯ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପେପର୍‌ ପରୀକ୍ଷା ଅପରାହ୍ନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ । ୧୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଓଏମ୍‌ଆର୍‌ ସିଟ୍‌ରେ ହେବ।ଇନ୍‌ସର୍ଭିସ୍‌ ଶିକ୍ଷକ ଏବଂ ନୂଆ ପ୍ରାର୍ଥୀ ମିଶି ମୋଟ ୯୭ ହଜାର ୧୫୧ ଜଣ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ଏଥିରେ ୮୪ ହଜାର ୬୨୫ ରେଗୁଲାର ଓ ୧୩ ହଜାର ୫୮୪ ଜଣ ଇନ୍‌ସର୍ଭିସ୍‌ ସର୍ଭିସ ଶିକ୍ଷକ ରହିଛନ୍ତି ।

You might also like