ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ; ସ୍ୱତନ୍ତ୍ର ଟ୍ରେନ୍ରେ ଯାତ୍ରା କଲେ ଶ୍ରଦ୍ଧାଳୁ
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ଆରମ୍ଭ ହେଲା ସରକାରଙ୍କ ସୋମନାଥ ସ୍ୱାଭିମାନ ପର୍ବ । ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରୁ ୧୧ ଶହରୁ ଅଧିକ ଲୋକଙ୍କୁ ସରକାର ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥ ଭ୍ରମଣରେ ପଠାଇଛନ୍ତି । ୭ ଦିନ ଧରି ପର୍ଯ୍ୟଟକମାନେ ଗୁଜୁରାଟର ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ଅନ୍ୟ ସ୍ଥାନ ବୁଲିବା ପରେ ଫେରିବେ ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ରେଳ ଯାତ୍ରା ନୁହେଁ, ବରଂ ଆମର ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ସ୍ୱାଭିମାନର ଏକ ମହାଯାତ୍ରା। ପୂର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମରେ ପ୍ରଭୁ ସୋମନାଥ – ଏହି ଦୁଇ ଦିବ୍ୟ ଶକ୍ତି ସମଗ୍ର ଭାରତବର୍ଷକୁ ଏକତା, ଆଧ୍ୟାତ୍ମିକତା ଓ ଅବିନାଶୀ ଚେତନାର ସୂତ୍ରରେ ବାନ୍ଧି ରଖିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ତୀର୍ଥଯାତ୍ରା ସାରା ଦେଶରେ ଆୟୋଜିତ ହେଉଥିବା ମହାନ ରାଷ୍ଟ୍ରୀୟ ସଂକଳ୍ପ ‘ସୋମନାଥ ସ୍ୱାଭିମାନ ପର୍ବ’ର ଏକ ଗୌରବମୟ ଅଂଶ ଅଟେ, ଯାହା ଭାରତୀୟ ଇତିହାସର ଦୁଇଟି ପ୍ରମୁଖ ମାଇଲଖୁଣ୍ଟକୁ ସ୍ମରଣ କରାଉଛି। ପ୍ରଥମଟି ହେଉଛି, ବର୍ଷ ୧୦୨୬ ମସିହାରେ ମହମ୍ମଦ ଗଜନଭୀଙ୍କ ଦ୍ୱାରା ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ବର୍ବର ଆକ୍ରମଣର ୧୦୦୦ ବର୍ଷ ଏବଂ ଦ୍ୱିତୀୟଟି ହେଉଛି, ସ୍ୱାଧୀନତା ପରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରେରଣାରେ ଏହି ଭବ୍ୟ ମନ୍ଦିରର ପୁନଃପ୍ରତିଷ୍ଠାର ୭୫ତମ ପ୍ଲାଟିନମ୍ ଜୁବିଲି । ଏହି ବର୍ଷବ୍ୟାପୀ ସାଂସ୍କୃତିକ ମହୋତ୍ସବ ଅନ୍ତର୍ଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଏକ ବ୍ୟାପକ ଗଣ-ତୀର୍ଥଯାତ୍ରାର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଓଡ଼ିଶାର ଏହି ସ୍ୱତନ୍ତ୍ର ଟ୍ରେନ ଭଳି ଲକ୍ଷ୍ନୌରୁ ୧ ହଜାର ୮ ଜଣ ଏବଂ ଦିଲ୍ଲୀରୁ ପ୍ରାୟ ୧୩୦୦ ଜଣ ଶ୍ରଦ୍ଧାଳୁ ମଧ୍ୟ ପବିତ୍ର ପ୍ରଭାସ ପାଟଣ ଅଭିମୁଖେ ବାହାରିଛନ୍ତି। ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ‘ବିକାଶ ଭି, ବିରାସତ ଭି’ ର ମନ୍ତ୍ର ଆଜି ସୋମନାଥଠାରେ ଅତ୍ୟାଧୁନିକ ଭବ୍ୟ ପ୍ରଦର୍ଶନୀ ଶାଳା, ମ୍ୟୁଜିୟମ, ସମୁଦ୍ର ଦର୍ଶନ ପଥ ଏବଂ PRASHAD ଯୋଜନା ଜରିଆରେ ବିଶ୍ୱସ୍ତରୀୟ ଯାତ୍ରୀ ଭିତ୍ତିଭୂମିର ବିକାଶ କରି ପ୍ରମାଣିତ କରିଛି ।