ସାଇବାବା ଫେମ୍ ସୁଧୀରଙ୍କୁ ସାହାଯ୍ୟର ହାତ ବଢାଇଲେ ବଲିଉଡର ଅଭିନେତା

୧୯୭୭ ମସିହାରେ ‘ଶିରିଡି ସାଇ ବାବା’ ରେ ସାଇ ବାବା ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇ ଆସୁଥିବା ଅଭିନେତା ସୁଧୀର ଦଲଭି ସମ୍ପ୍ରତି ଅସୁସ୍ଥ ହୋଇପଡ଼ିଛନ୍ତି । ସେ ପ୍ରାୟ ଗୋଟିଏ ମାସ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ଏବେ ତାଙ୍କ ଅବସ୍ଥା ଭଲ ରହିଛି । ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । ସୂଚନାମୁତାବକ ୨୦୨୫ ଅକ୍ଟୋବରରେ ସେପ୍ସିସ୍‌ରେ ଗୁରୁତର ଭାବେ ଅସୁସ୍ଥ ହୋଇ ସୁଧୀର ଦଲଭି ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସଂକ୍ରମଣ ଯୋଗୁଁ ତାଙ୍କ ଗଣ୍ଠି ଗୁରୁତର ଭାବେ ପ୍ରଭାବିତ ହେବା ସହ ଚାଲିବାର କ୍ଷମତା ମଧ୍ୟ ହ୍ରାସ ପାଇଥିଲା । ଦୀର୍ଘ ସମୟ ICUରେ ରହିବାକୁ ପଡ଼ିଥିଲା ।ଚିକିତ୍ସା ଖର୍ଚ୍ଚ ବଢ଼ିବାରୁ ପରିବାର ଉପରେ ଆର୍ଥିକ ଚାପ ବଢ଼ିଥିଲା। ପ୍ରାୟ ୧୦ ଲକ୍ଷ ଟଙ୍କା ପରିବାର ଖର୍ଚ୍ଚ କରିଥିବା ବେଳେ ମୋଟ ଚିକିତ୍ସା ଖର୍ଚ୍ଚ ୧୫ ଲକ୍ଷରୁ ଅଧିକ ହେବାର ଆଶଙ୍କା ଥିଲା। ଏହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅନେକ ଲୋକ ସହାୟତା ପାଇଁ ଆଗକୁ ଆସିଥିଲେ।ସୁଧୀର ଦଲଭିଙ୍କ ପତ୍ନୀ ସୁହାସ ଦଲଭି କହିଛନ୍ତି ଯେ ରଣବୀର କପୁର, କାର୍ତ୍ତିକ ଆର୍ଯ୍ୟନ ଓ ଅକ୍ଷୟ କୁମାର ସେମାନଙ୍କୁ ସହାୟତା କରିଥିବା ପ୍ରମୁଖ ଅଭିନେତାଙ୍କ ମଧ୍ୟରେ ଥିଲେ । କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ, ସୁଧୀର ଦଲଭିଙ୍କୁ ସାଇ ବାବା ଭାବେ ଭଲ ପାଉଥିବା ଅନେକ ସାଇ ଭକ୍ତ ମଧ୍ୟ ସହାୟତାର ହାତ ବଢ଼ାଇଥିଲେ ।ଏହା ସହ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟକୁ ମଧ୍ୟ ଚିକିତ୍ସା ପାଇଁ ୧୧ ଲକ୍ଷ ଟଙ୍କା ଦେବାକୁ ଅନୁମତି ମିଳିଥିଲା । ଏବେ ସୁଧୀର ଦଲଭି ଘରକୁ ଫେରିଛନ୍ତି। ତେବେ ଚାଲିବା ପାଇଁ ଏବେ ୱାକର୍‌ର ସାହାଯ୍ୟ ନେଉଛନ୍ତି ଏବଂ ତାଙ୍କ ସୁସ୍ଥତା ଧୀରେ ଧୀରେ ଆଗକୁ ବଢ଼ୁଛି ।

You might also like