ସହରୀକରଣ ରାଜ୍ଯ ଜିଡିପିର ଏକ ତୃତୀୟାଂଶ ଅଭିବୃଦ୍ଧି କରିବ: ଶ୍ରୀମତୀ ଉଷା ପାଢୀ
ଭୁବନେଶ୍ୱର, (ରାଜ୍ୟ କାହାଣୀ) ‘ବିକାଶ ମନ୍ଥନ ୧.୦ – ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ’ର ଚତୁର୍ଥ ପ୍ଲେନାରୀ ଅଧିବେଶନ ‘ସମୃଦ୍ଧ ଓଡ଼ିଶା’ରେ ରାଜ୍ୟକୁ ଏକ ଉଚ୍ଚ-ଅଭିବୃଦ୍ଧିଶୀଳ ଓ ଭବିଷ୍ୟତ-ପ୍ରସ୍ତୁତ ଅର୍ଥନୀତି ଦିଗରେ ଆଗେଇ ନେବା ପାଇଁ ଏକ ମହତ୍ୱାକାଂକ୍ଷୀ ତଥା ସମନ୍ୱିତ ରୋଡମ୍ୟାପ୍ ପ୍ରଦର୍ଶିତ ହୋଇଛି। ଏହି ଅଧିବେଶନରେ ବିଭିନ୍ନ ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଶିଳ୍ପ ସମ୍ପ୍ରସାରଣ, ସେବା କ୍ଷେତ୍ରର ରୂପାନ୍ତରଣ, ସହରୀ ସଂସ୍କାର, ପରିବହନ (ଲଜିଷ୍ଟିକ୍ସ) ସୁଦୃଢ଼ିକରଣ ଏବଂ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ଉପରେ ବ୍ୟାପକ ଆଲୋଚନା କରିଥିଲେ।
ଓଡ଼ିଶାର ବିକାଶଶୀଳ ଅର୍ଥନୈତିକ ପଥକୁ ନେଇ ଆଲୋଚନାରେ ଦୃଢ଼ ଆଶାବାଦ ପ୍ରକଟ ପାଇଥିବାବେଳେ, ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟାନ୍ୱୟନ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଅଧିବେଶନକୁ ସମ୍ବୋଧିତ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ରାଜ୍ୟର ଅଭିବୃଦ୍ଧିର ଇଞ୍ଜିନ ଭାବରେ ନଗରୀକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଓଡ଼ିଶାର ବର୍ତ୍ତମାନର ନଗରୀକରଣ ସ୍ତର ପ୍ରାୟ ୧୭ ପ୍ରତିଶତ ରହିଛି ଏବଂ ଏହାର ସମ୍ପୂର୍ଣ୍ଣ ଅର୍ଥନୈତିକ ସାମର୍ଥ୍ୟକୁ ବ୍ୟବହାର କରିବା ପାଇଁ ଏକ ସନ୍ତୁଳିତ ତଥା ଦୂରଦୃଷ୍ଟି ସମ୍ପନ୍ନ ସମ୍ପ୍ରସାରଣର ଆବଶ୍ୟକତା ରହିଛି।

ସହରୀ ରୂପାନ୍ତରଣର ବିଶ୍ୱସ୍ତରୀୟ ଉଦାହରଣ ଦେଇ ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ରାଜ୍ୟ ଏବେ ପାରମ୍ପରିକ ‘ସହର-କୈନ୍ଦ୍ରିକ’ ବିକାଶ ମଡେଲରୁ ଏକ ‘ସମନ୍ୱିତ ଅର୍ଥନୈତିକ-ଅଞ୍ଚଳ’ ଢାଞ୍ଚାକୁ ପରିବର୍ତ୍ତିତ ହେଉଛି। ସହରୀ ଯୋଜନା ନିଶ୍ଚିତ ଭାବରେ ଦୀର୍ଘକାଳୀନ ଅର୍ଥନୈତିକ ଅଭିବୃଦ୍ଧି, ଉତ୍ପାଦନ ବୃଦ୍ଧି ଏବଂ ସମଗ୍ର ବିକାଶ ସହ ସଂଯୁକ୍ତ ହେବା ଉଚିତ ବୋଲି ସେ କହିଥିଲେ।
ଏହି ପରିପ୍ରେକ୍ଷୀରେ ସେ ଆଗାମୀ ‘ଲିଭେବୁଲ୍ ସିଟି ମିଶନ’ ର ରୂପରେଖ ଉପସ୍ଥାପନ କରିଥିଲେ। ଏହାର ଲକ୍ଷ୍ୟ ହେଉଛି ଉନ୍ନତ ମୌଳିକ ସେବା, ସବୁଜ ସାର୍ବଜନୀନ ସ୍ଥାନ, ସୁଦୃଢ଼ ଭିତ୍ତିଭୂମି ଏବଂ ନାଗରିକ-କୈନ୍ଦ୍ରିକ ଶାସନ ମାଧ୍ୟମରେ ସହରୀ ଜୀବନଶୈଳୀକୁ ଅଧିକ ସହଜ ଓ ସୁନ୍ଦର କରିବା। ଏହି ମିଶନ ସହିତ ନିରବଚ୍ଛିନ୍ନ ଗମନାଗମନ ବ୍ୟବସ୍ଥା ଏବଂ ସମନ୍ୱିତ ସହରୀ ଭିତ୍ତିଭୂମିରେ ପୁଞ୍ଜି ନିବେଶ କରାଯିବ, ଯାହାଫଳରେ ସହରଗୁଡ଼ିକ ଦକ୍ଷ, ସଂଯୁକ୍ତ ଏବଂ ଅନ୍ତର୍ଭୁକ୍ତିମୂଳକ ହୋଇପାରିବ। ତାଙ୍କ ଉପସ୍ଥାପନାର ଏକ ପ୍ରମୁଖ ଆକର୍ଷଣ ଥିଲା ପ୍ରସ୍ତାବିତ ଭୁବନେଶ୍ୱର–କଟକ–ପୁରୀ– ପାରାଦୀପ ଅର୍ଥନୈତିକ ଅଞ୍ଚଳ ଯାହା ରାଜ୍ୟ ପାଇଁ ଏକ ପରିବର୍ତ୍ତନକାରୀ ଅଭିବୃଦ୍ଧି କରିଡର ଭାବରେ ପରିକଳ୍ପନା କରାଯାଇଛି। କେବଳ ଉପକୂଳବର୍ତ୍ତୀ ଅଞ୍ଚଳ ନୁହେଁ, ବରଂ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ସନ୍ତୁଳିତ ଆଞ୍ଚଳିକ ବିକାଶ ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ‘ସିଟି ଇକୋନୋମିକ ଜୋନ୍’ ଗୁଡ଼ିକର ପରିକଳ୍ପନା କରୁଛନ୍ତି। ରାଉରକେଲା, ସମ୍ବଲପୁର ଏବଂ କୋରାପୁଟକୁ କେନ୍ଦ୍ର କରି ଗଠିତ କ୍ଲଷ୍ଟରଗୁଡ଼ିକ ଇସ୍ପାତ, ଆଲୁମିନିୟମ, କୃଷି-ପ୍ରକ୍ରିୟାକରଣ ଏବଂ ଖଣିଜ ଭିତ୍ତିକ ଶିଳ୍ପ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ। ଏହି ବିକାଶଶୀଳ ଅର୍ଥନୈତିକ ଅଞ୍ଚଳଗୁଡ଼ିକ ଭିତ୍ତିଭୂମି ନିବେଶକୁ ତ୍ୱରାନ୍ୱିତ କରିବା ସହ ସହରୀ ସେବାକୁ ବୃଦ୍ଧି କରିବ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ଆର୍ଥିକ କରିଡର ଏହାର ରଣନୈତିକ ଅବସ୍ଥିତି, ଶିଳ୍ପ କ୍ଲଷ୍ଟର, ବନ୍ଦର-ଭିତ୍ତିକ ବିକାଶ ଏବଂ ପର୍ଯ୍ୟଟନ ସମ୍ଭାବନା ମାଧ୍ୟମରେ ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (GSDP) ରେ ପ୍ରାୟ ଏକ-ତୃତୀୟାଂଶ ଅବଦାନ ଦେବ ବୋଲି ଆଶା କରାଯାଉଛି।
ଶ୍ରୀମତୀ ପାଢ଼ୀ ସହରୀକରଣକୁ କେବଳ ଜନସଂଖ୍ୟାଗତ ପରିବର୍ତ୍ତନ ନୁହେଁ, ବରଂ ଶିଳ୍ପ ପ୍ରତିଯୋଗିତା, ସେବା କ୍ଷେତ୍ରର ଅଭିବୃଦ୍ଧି, ନୂତନତ୍ୱ ଏବଂ ନିଯୁକ୍ତି ସୃଷ୍ଟିର ଏକ ରଣନୈତିକ ମାଧ୍ୟମ ଭାବରେ ବର୍ଣ୍ଣନା କରିଥିଲେ। ସେ ଦୋହରାଇଥିଲେ ଯେ ନୀତିଗତ ସଂସ୍କାର ଏବଂ ସାଂସ୍ଥାନିକ ସୁଦୃଢ଼ିକରଣ ଦ୍ୱାରା ସମନ୍ୱିତ ସହରୀ ନିବେଶ ହିଁ ସ୍ଥାୟୀ ଏବଂ ସମଗ୍ର ବିକାଶ ହାସଲ କରିବାରେ ସହାୟକ ହେବ।
ଓଡ଼ିଶାକୁ ଏକ ଗତିଶୀଳ ଅର୍ଥନୈତିକ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବା ଏବଂ ଏକ ସମୃଦ୍ଧ ତଥା ସହନଶୀଳ ରାଜ୍ୟ ଗଠନ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ସହ ଏହି ପ୍ଲେନାରୀ ଅଧିବେଶନ ସମାପ୍ତ ହୋଇଥିଲା। ସୁବ୍ୟବସ୍ଥିତ ଯୋଜନା, ଶାସନରେ ନୂତନତ୍ୱ ଏବଂ ଫଳାଫଳ-ଭିତ୍ତିକ କାର୍ଯ୍ୟାନ୍ୱୟନ ମାଧ୍ୟମରେ ‘ସମୃଦ୍ଧ ଓଡ଼ିଶା’ ଆଶାକୁ କାର୍ଯ୍ୟରେ ଏବଂ ଅଭିବୃଦ୍ଧିକୁ ସାମୂହିକ ସମୃଦ୍ଧିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି।