ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କ ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ୱର (ରାଜ୍ୟ କାହାଣୀ )ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ନଦେଲେ ସମ୍ପୃକ୍ତ ଦାୟୀ ଅଧିକାରୀଙ୍କୁ ଜରିମାନା ଗଣିବାକୁ ପଡ଼ିବ ।ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସେବାଗୁଡ଼ିକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ସରକାର ‘ଅଟୋ-ଅପିଲ୍ ସିଷ୍ଟମ୍’ ଲାଗୁ କରିଛନ୍ତି। ଏହାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗ ନୂଆ ଗାଇଡ୍‌ଲାଇନ୍ (SOP) ଜାରି କରିଛି।ନୂତନ ନିୟମ ଅନୁଯାୟୀ, ସେବା ପ୍ରଦାନରେ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଉପରେ ଦିନକୁ ୨୫୦ ଟଙ୍କା ହିସାବରେ ଜରିମାନା ଲାଗିପାରେ। ଏହି ଜରିମାନା ଅଧିକାରୀଙ୍କ ଦରମାରୁ କାଟି ନିଆଯିବ। ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରିବ।ଓଡ଼ିଶା ଜନସେବା ଅଧିକାର ଆଇନ ଅଧୀନରେ କୌଣସି ସରକାରୀ ସେବା ପାଇଁ ଆବେଦନକାରୀ ଅନଲାଇନ୍ ପୋର୍ଟାଲ୍‌ରେ ଆବେଦନ କରିବେ। ଆବେଦନ ପରେ ତାଙ୍କୁ ଏକ ସ୍ୱତନ୍ତ୍ର ଆକନଲେଜମେଣ୍ଟ ନମ୍ବର ମିଳିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାୟିତ୍ୱପ୍ରାପ୍ତ ଅଧିକାରୀ ଯଦି ଆବେଦନର ସମାଧାନ ନ କରନ୍ତି କିମ୍ବା ସେବା ପ୍ରଦାନରେ ବିଫଳ ହୁଅନ୍ତି, ତେବେ ଆବେଦନକାରୀଙ୍କୁ ଅଲଗା ଭାବେ ଅପିଲ୍ କରିବାକୁ ପଡ଼ିବ ନାହିଁ। ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ସମ୍ପୃକ୍ତ ମାମଲାକୁ ‘ଅଟୋ-ଅପିଲ୍’ ଭାବରେ ପ୍ରଥମ ଅପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଦେବ।ଏହି ବ୍ୟବସ୍ଥା ଦ୍ୱାରା ସରକାରୀ ସେବା ପ୍ରଦାନରେ ବିଳମ୍ବ କମିବା ସହ ଦାୟୀ ଅଧିକାରୀଙ୍କ ଉତ୍ତର ଦାୟିତ୍ୱ ବଢ଼ିବ ବୋଲି ଆଶା କରାଯାଉଛି।

You might also like