ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା: ରାତିରେ ମହାପ୍ରଭୁଙ୍କ ସୁନାବେଶ

ଚନ୍ଦ୍ରଗ୍ରହଣ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉଙ୍କ ସୁନା ବେଶ ଅନୁଷ୍ଠିତ ସହ ଦୋଳ ବେଦୀ ଠାରେ ସ୍ୱତନ୍ତ୍ର ଦୋଳ ନୀତି ହେବ । ଚଳିତ ବର୍ଷ ଦିନ ବଦଳରେ ରାତିରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ । ସନ୍ଧ୍ୟା ୬ଟା ୩୦ ରେ ଗ୍ରହଣ ଭୋଗ ହୋଇ ୭ଟାରେ ମଇଲମ କରାଯିବ । ରାତି ୮ଟାରୁ ୯ଟା ୩୦ ମଧ୍ୟରେ ସୁନା ବେଶ ଅନୁଷ୍ଠିତ ହେଵ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇଁ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନରେ ବିଜେ କରି ଶ୍ରୀମନ୍ଦିର ବେଢ଼ା ସାତଥର ପ୍ରଦକ୍ଷଣ କରିବେ। ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନି ସହ ଫଗୁ, ଅବିର ଖେଳ ମଧ୍ୟରେ ଠାକୁରଙ୍କ ବିମାନ ଦୋଳବେଦୀକୁ ବିଜେ କରି ଦୋଳବେଦୀ ତଳେ ଓ ଉପରେ ସାତଘେରା ଲେଖାଏଁ ପ୍ରଦକ୍ଷଣ କରିବା ପରେ ଦୋଳରେ ବସି ଝୁଲିବେ। ଏହାପରେ ଦୋଳବେଦୀରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି କାନ୍ତି ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନୀତି କାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଇଛି।

You might also like