ଶ୍ରୀବିଗ୍ରହଙ୍କ ଚାଲିଛି ଓଷ ଲାଗି ନୀତି
ଦଇତାପତିଙ୍କ ସେବାରେ ଜ୍ବରରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଦାରୁବ୍ରହ୍ମ । ଫୁଲୁରୀ ତେଲ ଲାଗି ପରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶ୍ରୀବିଗ୍ରହଙ୍କୁ ଓଷ ଲାଗି ଆରମ୍ଭ ହୋଇଛି । ରାଶି ତେଲ ସହ ଝୁଣା ଗୁଣ୍ଡର ମିଶ୍ରଣ ହେଉଛି ଓଷ । ଶୁଦ୍ଧସୁଆରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥାଏ ଓଷ । ଏହି ଓଷ ନୀତି ତିନି ଦିନ ଧରି ଚାଲିବ । ୧୦ ତାରିଖ ଶୁକ୍ରବାର ଦଶମୀ ଦିନ ଶ୍ରୀଜିଉ ଚକା ଉପରକୁ ଉଠିବେ । ଏକାଦଶୀରେ ଶ୍ରୀଅଙ୍ଗରେ ରକ୍ତ ବସ୍ତ୍ର ଲାଗିହେବ ।ଦଇତାପତି ସେବକ ଓ ପତି ମହାପାତ୍ର ସେବକ ମହାପ୍ରଭୁଙ୍କ ଅଣସର ଗୁପ୍ତ ନୀତି କରିଥାନ୍ତି । ମହାପ୍ରଭୁଙ୍କ ଶରୀରରେ ଯାହା ଅସୁବିଧା ଥାଏ ଏହି ଅଣସର ସମୟରେ ସବୁ କାର୍ଯ୍ଯ ପୂର୍ଣ୍ଣାଙ୍ଗ କରାଯାଏ । ଫୁଲୁରୀ ତେଲ ଲାଗି ପରେ ଶ୍ରୀବିଗ୍ରହଙ୍କ ପାଇଁ ଓଷ ଲାଗି ନୀତି କରାଯାଉଛି । ଏକାଦଶୀରେ ମହାପ୍ରଭୁଙ୍କ ଖଳି ଲାଗି ନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁଙ୍କ ବନକଲାଗି ନୀତି ପରେ ଅମାବାସ୍ୟାରେ ଅନୁଷ୍ଠିତ ନେତ୍ରୋତ୍ସବରେ ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେବେ ।