ଶୁଭମିତ୍ରାଙ୍କ ଭଳି ଅପର୍ଣ୍ଣାଙ୍କୁ ମାରିଥିଲା ଦୀପକ? ଅଭିଯୋଗ କଲେ ଅପର୍ଣ୍ଣାଙ୍କ ପରିବାର

ଭୁବନେଶ୍ୱର (ରାଜ୍ୟ କାହାଣୀ)ପୁରୀ ସ୍ବର୍ଗଦ୍ବାରକୁ ଅନ୍ତିମ ସଂସ୍କାର ପାଇଁ ଆସିଥିବା ଶୁଭମିତ୍ରାଙ୍କ ବାପା ଅଭିଯୁକ୍ତ ଦୀପକ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ।୧ କୋଟି ୨୫ ଲକ୍ଷର ବୀମା ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରିଛି ଦୀପକ । ତେବେ ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ ବୋଲି ବଡ଼ ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା ।ସେ ଆହୁରି କହିଛନ୍ତି, ଶୁଭମିତ୍ରା ନାଁରେ ୧ କୋଟି ୨୫ ଲକ୍ଷ ଟଙ୍କାର ବୀମା କରିଥିଲା ଦୀପକ । ବୀମା ଟଙ୍କା ହାତେଇବାକୁ ଯୋଜନା କରିଥିଲେ ଦୀପକ ଓ ତା’ର ବଡ଼ ଭାଇ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ବି ବୀମା କରିଥିଲା ଦୀପକ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ଦୀପକ ଦେଢ଼ କୋଟି ଟଙ୍କାର ବୀମା କରିଥିଲା । ଆଉ ଅପର୍ଣ୍ଣାକୁ ମଧ୍ୟ ହତ୍ୟା କରିବା ପରେ ସେ ସେହି ଦେଢ଼ କୋଟି ଟଙ୍କା ହାତେଇଥିବା ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା । ଅପର୍ଣ୍ଣାଙ୍କ ମୃତ୍ୟୁ ପଛର ରହସ୍ୟ ଏବେ ସନ୍ଦେହଘେରକୁ ଆସିଛି । ୨୦୧୮ ଏପ୍ରିଲ ୨୫ ତାରିଖରେ ଢେଙ୍କାନାଳ ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ଅପର୍ଣ୍ଣା ଜଣେ ଆରଆଇ ଥିଲେ। ୨୦୨୨ ମାର୍ଚ୍ଚ ୧୭ ତାରିଖ ରାତି ୯ଟାରେ ଦୀପକ ଓ ତାଙ୍କ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ଏକ କାରରେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିଲେ। ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ନିକଟରେ ଅପର୍ଣ୍ଣାଙ୍କୁ ପରିସ୍ରା ଲାଗିବାରୁ କାରରୁ ଓହ୍ଲାଇଥିଲେ । ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକା ଦେଇଥିଲା ବୋଲି ଥାନାରେ ଅଭିଯୋଗ କରିଥିଲେ ଦୀପକ। ଅଭିଯୋଗ ଅନୁସାରେ ସେଠାରେ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ନିଜ କାରରେ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଚିକିତ୍ସା ସମୟରେ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ଘୋଷଣା କରିବାପରେ ଖୁଣ୍ଟୁଣୀ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସର ତଦନ୍ତ ବେଳେ କୌଣସି ଟ୍ରକ୍‌ର ପତ୍ତା ପାଇନଥିଲା। ଶେଷରେ ଦୁର୍ଘଟଣା ଜନିତ ହତ୍ୟା କରି ମାମଲା ବନ୍ଦ କରିଦେଇଥିଲା ପୋଲିସ। ଶୁଭମିତ୍ରାଙ୍କ ମୃତ୍ୟୁ ପରେ ଏହି ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରିଛନ୍ତି ଅପର୍ଣ୍ଣାଙ୍କ ପରିବାର ।

You might also like