ଶତ୍ରୁ ସାଟେଲାଇଟ୍‌ ଉପରେ ନଜର ରଖିବ ଭାରତ

ଭାରତ ଘରୋଇ ମହାକାଶ କ୍ଷେତ୍ରରେ ନିଜର କ୍ଷମତା ବୃଦ୍ଧି କରୁଛି। ଅହମଦାବାଦ ସ୍ଥିତ ଆଜିସ୍ତା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ଏହାର ଏରୋସ୍ପେସ୍ ଭର୍ଟିକାଲ୍ ମାଧ୍ୟମରେ ଏକ ଉପଗ୍ରହରୁ କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଚିତ୍ର ଉତ୍ତୋଳନ କରିବାର ସ୍ୱଦେଶୀ କ୍ଷମତା ପ୍ରଦର୍ଶନ କରିଛି। ଭାରତୀୟ ମହାକାଶ ସ୍ଥିତି ସଚେତନତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଏହାକୁ କକ୍ଷପଥ ଗୁପ୍ତଚରଗିରି କୁହାଯାଏ।୮୦ କିଲୋଗ୍ରାମ ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ ଏଏଫ୍‌ଆର୍‌ ବ୍ୟବହାର କରି ଆଜିସ୍ତା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ର ଫଟୋକୁ ସଫଳତାର ସହ ଧରିପାରିଛି। ଫେବୃଆରୀ ୩ରେ ଏହା ଉପରେ ୨ ଥର ଯୋଜନାବଦ୍ଧ ପରୀକ୍ଷା କରାଯାଇଥିଲା। ନିମ୍ନ ଆର୍ଥ ଅର୍ବିଟ୍‌ରୁ ଆଇଏସ୍‌ଏସ୍‌ ଅନ୍ୟତମ ଅଧିକ ଦୃଶ୍ୟମାନ ଏବଂ ସହଯୋଗୀ ଟାର୍ଗେଟ ହୋଇଥିବାବେଳେ ଉକ୍ତ ସଫଳତା ଭାରତର ଘରୋଇ ସେକ୍ଟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ ବୋଲି କୁହାଯାଉଛି। ସଫଳ ପରୀକ୍ଷଣ ପରେ ଆଜିଷ୍ଟାର ପରିଚାଳନା ନିର୍ଦ୍ଦେଶକ ଶ୍ରୀନିବାସ ରେଡ୍ଡୀ କହିଛନ୍ତି ଯେ, ଏଏଫ୍‌ଆର୍‌ ଆଜି ଅନେକ ଗ୍ରାହକଙ୍କୁ ଉନ୍ନତ ଇମେଜିଂ ଓ ରିମୋଟ୍-ସେନ୍ସିଂ ସମାଧାନ ପ୍ରଦାନ କରୁଛି ତଥା ଏବେ ସମ୍ପୂର୍ଣ୍ଣ ସ୍ୱଦେଶୀ ସିଷ୍ଟମ୍ ବ୍ୟବହାର କରି ନନ୍-ଆର୍ଥ ଇମେଜିଂ (ଏନ୍‌ଇଆଇ) ପ୍ରଦର୍ଶନ କରିଛି। ଏହି ପ୍ରଯୁକ୍ତିବିଦ୍ୟା ଆମର ଏନ୍‌ଇଆଇ ଓ ଏସ୍ଏସ୍‌ଏ ପେଲୋଡ୍‌ଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା କକ୍ଷପଥରେ ଥିବା ବସ୍ତୁଗୁଡ଼ିକର ଟ୍ରାକିଂ ଓ ଚିହ୍ନଟ କରିବାରେ ସହାୟତା କରିବ। ଏହି ପ୍ରଯୁକ୍ତିବିଦ୍ୟା ଦ୍ବାରା ଆସୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଗୁଡ଼ିକୁ ନିରୀକ୍ଷଣ କରିବାରେ ମଧ୍ୟ ସହାୟତା ମିଳିବ ବୋଲି ସେ କହିଛନ୍ତି।

You might also like