ଲୋପାମୁଦ୍ରା ରାଉତଙ୍କ ଘରେ ଚୋରି , ବିହାରରୁ ଧରାପଡ଼ିଲା ଅଭିଯୁକ୍ତ

ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇସ୍ଥିତ ବାସଭବନରୁ ପ୍ରାୟ ୭୬.୩୯ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ୨୬ ବର୍ଷୀୟ ଚନ୍ଦନ କମଲେଶ ମୁଖିଆ ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁସାରେ, ଲୋପାମୁଦ୍ରା ୨୦ ଜୁନ୍‌ରୁ ୨୭ ଜୁଲାଇ ମଧ୍ୟରେ ସହର ବାହାରେ ଥିବା ସମୟରେ ତାଙ୍କ ଫ୍ଲାଟ୍‌ରେ ଚୋରି ହୋଇଥିଲା । ଚୋର ଘରୁ ନଗଦ ଟଙ୍କା, ସୁନା ଅଳଙ୍କାର ଓ ସୁନା ବିସ୍କୁଟ୍‌ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ବେଳେ ସିସିଟିଭି ଫୁଟେଜ୍‌ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ପୁଲିସ ଅଭିଯୁକ୍ତର ସନ୍ଧାନ ଆରମ୍ଭ କରିଥିଲା । ଶେଷରେ ମୁମ୍ବାଇର ସାନ୍ତାକ୍ରୁଜ୍‌ ପୁଲିସ ଓ ଲୋକାଲ କ୍ରାଇମ୍‌ ବ୍ରାଞ୍ଚର ମିଳିତ ଅଭିଯାନରେ ବିହାରରୁ ଅଭିଯୁକ୍ତକୁ ଧରାଯାଇଥିଲା । ଅଭିଯୁକ୍ତ ନିକଟରୁ ପ୍ରାୟ ୭୬ ଲକ୍ଷ ଟଙ୍କା ମୂଲ୍ୟର ଚୋରି ସମ୍ପତ୍ତି ଜବତ ହୋଇଥିବା ପୁଲିସ ସୂଚନା ଦେଇଛି । ତେବେ ଏହି ଚୋରି ଘଟଣାରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହାସହ ଚୋରି ହୋଇଥିବା ଅବଶିଷ୍ଟ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର ପାଇଁ ମଧ୍ୟ ଉଦ୍ୟମ ଚାଲିଛି।ଲୋପାମୁଦ୍ରା ରାଉତ ଜଣେ ଅଭିନେତ୍ରୀ ଏବଂ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ବିଜୟୀ। ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍’ରେ ପ୍ରତିଯୋଗୀ ଭାବେ ଯୋଗଦେବା ପରେ ସେ ଅଧିକ ଚର୍ଚ୍ଚିତ ହୋଇଥିଲେ। ଏହାଛଡ଼ା ରୋହିତ ଶେଟ୍ଟୀଙ୍କ ଷ୍ଟଣ୍ଟ ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡି’ରେ ମଧ୍ୟ ସେ ନଜର ଆସିଥିଲେ। ଲୋପାମୁଦ୍ରା କିଛି ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି। ବର୍ତ୍ତମାନ ସେ ଅଭିନୟ କ୍ଷେତ୍ରରେ ଅଧିକ ସକ୍ରିୟ ନଥିଲେ ମଧ୍ୟ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି ଏବଂ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ସମ୍ପର୍କିତ ଅପଡେଟ୍ ସେୟାର କରନ୍ତି।

You might also like