ରାଜ୍ୟରେ ଛୋଟ ବନ୍ୟା ଆଶଙ୍କା: ସର୍ବୋଚ୍ଚ ଯନ୍ତ୍ରୀ
ରାଜ୍ୟରେ ବର୍ଷା କମିଥିଲେ ମଧ୍ୟ ଟଳିନି ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି । ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ। ସେ କହିଛନ୍ତି ଯେ ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା ରହିଛି। ଏଥିରେ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ।ସେହିପରି ଆଖୁଆପଦାରେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିପାରେ। ମହାନଦୀର ଉପର ମୁଣ୍ଡରେ ନୁହେଁ, ଓଡ଼ିଶାରେ ବେଶୀ ବର୍ଷା ହୋଇଛି। ଖଇରମାଳରୁ ବରଗଡ଼ ଭିତରେ ବେଶୀ ବର୍ଷା ହୋଇଛି।
ହୀରାକୁଦର ଜଳଭଣ୍ଡାର ଜଳସ୍ତରର ୬୦୪ ଫୁଟ ରହିଛି। ଏହାର ଜଳସ୍ତର ୬୦୭ ଫୁଟ ଅତିକ୍ରମ କଲେ ନିଷ୍କାସନ ଚିନ୍ତା କରାଯିବ। ଏହା ସହ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ଉପରେ ମଧ୍ୟ ପାଣିପାଗ ବିଭାଗ ନଜର ରଖିଛି । ଏହାର ପ୍ରଭାବରେ ପୁଣି ବର୍ଷା ବଢ଼ିଲେ ବନ୍ୟା ପରିସ୍ଥିତି ଜଟିଳ ହୋଇପାରେ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ସ୍ଥିତିକୁ ନେଇ ସରକାର ଓ ଜଳସମ୍ପଦ ବିଭାଗ ସତର୍କ ରହିଥିବବେଳେ, ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ଓ ନଦୀର ଜଳସ୍ତର ଉପରେ ପ୍ରଶାସନର କଡ଼ା ନଜର ରହିଛି ।