ମୁଖ ଗହ୍ୱର ଜନିତ କର୍କଟ ରୋଗର ମୁଖ୍ୟ କାରଣ ଓ ଲକ୍ଷଣ
ଆମର ଭାରତୀୟ ପୁରାତନ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ରେ ଆମେ ସୁସ୍ଥ,ସତେଜ ଓ ଦୀର୍ଘାୟୁ ଜୀବନ ପାଇଁ,ଆମର ଦୈନିନ୍ଦିନ ଜୀବନ ଶୈଳୀ ସାଧାରଣତଃ ସାତ୍ତ୍ଵିକ ଆହାର ବିହାର ସହ ଉପଯୁକ୍ତ ଶାରୀରିକ ବ୍ୟୟାମ ଓ ସୁନିଦ୍ରାର ଆବଶ୍ୟକତା ରହିଥିବାର ଉଲ୍ଲେଖ ରହିଛି, ଯାହାକି ସଠିକ ସମୟରେ ହେବା ଉଚିତ।କିନ୍ତୁ ବର୍ତ୍ତମାନ ପରିସ୍ଥିତି ରେ ଭାରତରେ ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ଅନୁମେୟ କଲେ ଜଣାଯାଏ କି, ଆମ ଦେଶୀୟ ଚାଲିଚଳଣିକୁ ଭୁଲି, ପାଶ୍ଚlତ୍ୟ ଦେଶର ଖାଦ୍ୟ ଶୈଳୀ, ଖାଦ୍ୟ ପେୟ କୁ ଆପଣାଇବା ସହ, ବିଳମ୍ବିତ ରାତ୍ରି ଯାଏଁ ଅନିଦ୍ରା ରହିବା, ସକାଳୁ ବିଳମ୍ବରେ ଉଠିବା ସହ କିଛି ବ୍ୟକ୍ତି ଶଯ୍ୟା ତ୍ୟାଗ କରୁକରୁ ହିଁ ଅତ୍ୟଧିକ ମଦ୍ୟପାନ,ତମାଖୁ ଜାତୀୟ ଦ୍ରବ୍ୟ (ପାନ ମସଲା,ଗୁଟୁଖା, ଖଇନି, ଗୁଡ଼ାଖୁ) ଆଦି ସେବନ,ପାନ ମସଲା ଓ ଗୁଆକୁ ଚୋବାଇବା,ଦୀର୍ଘ ସମୟ ଧରି ପାଟି ସଫା ନକରିବା,କେତେକ ଫଙ୍ଗସ ଜାତୀୟ (ଜୀବାଣୁ ବା ଭୁତାଣୁ ଜନିତ ଦୀର୍ଘ ସ୍ଥାୟୀ ସଂକ୍ରମଣ) ହେତୁ ମନୁଷ୍ୟ ଶରୀରରେ ମୁଖ ଗହ୍ୱର କର୍କଟ ରୋଗ ହେବାର ବହୁତ ସମ୍ଭାବନା ରହିଥାଏ,ଯାହାକି ପ୍ରାଥମିକ ଅବସ୍ଥାରେ ରୋଗ ନିରୂପଣ ହେଲେ ଆରୋଗ୍ୟ ସାଧ୍ୟ ହୋଇଥାଏ, ତେଣୁ ଏସବୁ କୁଅଭ୍ୟାସ ଠାରୁ ଦୁରେଇ ରହିଲେ ମୁଖ ଗହ୍ୱର କର୍କଟ ରୋଗକୁ ବହୁଳ ପରିମାଣରରେ ଆମେ ହ୍ରାସ କରାଇପାରିବା।
ମୁଖ ଗହ୍ୱର କର୍କଟ ରୋଗର ଲକ୍ଷଣ :-
୧.ମୁଖର ଅନ୍ତଃ ଭାଗରେ ଦୀର୍ଘ ଦିନ ଧରି ନାଲି କିମ୍ବା ଧଳା ଦାଗ ରହିଥଲେ,
୨. ପାଟିରେ ଘା ହେଲେ ଶୀଘ୍ର ଭଲ ନହେବା,
୩. କ୍ରମାଗତ ଭାବେ ବଢ଼ି ଚାଲିଥିବା ଫୁଲା,
୪.ପାଟିରୁ ଅତ୍ୟଧିକ ଲାଳ ନିର୍ଗତ ହେବା କିମ୍ବା ଆଦୌ ଲାଳ ନିର୍ଗତ ନ ହେବା, ୫.ଅସ୍ୱାଭାବିକ ଭାବେ ପାଟିରୁ ରକ୍ତ ସ୍ରାବ ହେବା କିମ୍ବା ନାକରୁ ରକ୍ତ ପଡିବା,
୬.ପାଟିର କର୍କସ ସ୍ୱର ବାହାରି ଦୀର୍ଘଦିନ ଲାଗିରହିବା
୭. ପାଟି ଠିକ ଭାବେ ଖୋଲିନପାରିବା
୮. ପାଟିଦ୍ୱାର ଖାଦ୍ୟର ସ୍ୱାଦ ଠିକ ଭାବେ ବାରି ନପାରିବା
୯. ଜିଭ ବାହାରକୁ ବାହାର କରିବାରେ କଷ୍ଟ ଅନୁଭବ କରିବା,
୧୦. ଗଳା ସ୍ଥାନର ଗ୍ରନ୍ଥି ଫୁଲିବା,
୧୧. ପାଟିର ଅନ୍ତଃ ପ୍ରଦେଶ ରେ ବହୁଦିନ ଧରି ଯନ୍ତ୍ରଣା ଲାଗିରହିବା ଆଦି ଏସବୁ ଲକ୍ଷଣ ଦେଖା ଦେଲେ, ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ ନେବାର ଆବଶ୍ୟକତା ଜରୁରୀ ଅଟେ।