ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଶିଳାନ୍ୟାସ କଲେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କ
କେନ୍ଦୁଝରରେ ଶିଳାନ୍ୟାସ କଲେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ଏକ ବିବିଧ ଶିଳ୍ପ ହବ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଉପସ୍ଥାପନା କରିଛନ୍ତି। କେନ୍ଦୁଝର କେବଳ ଖଣି ଏବଂ ଇସ୍ପାତ ପାଇଁ ଜଣାଯିବ ନାହିଁ। ଆମେ ଏହାକୁ ବହୁବିଧ କ୍ଷେତ୍ର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ର କରିବାକୁ ପ୍ରତିବଦ୍ଧ। ଆମର ଦୃଷ୍ଟିକୋଣ ହେଉଛି ଏକ ସୁନାର କେନ୍ଦୁଝର ନିର୍ମାଣ କରିବା ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ସୂଚନାନୁସାରେ, ୧୦୦ କୋଟି ଟଙ୍କା ନିବେଶରେ ବିକଶିତ ହେବାକୁଥିବା ଟେକ୍ସଟାଇଲ୍ ପାର୍କରେ ୧୨୦୦ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ । ଆଧୁନିକ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ ସହାୟତା ସହିତ ହିଣ୍ଡାଲ୍କୋ ୭ ଏକର ଜମିରେ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏହି ୟୁନିଟ୍ ବାର୍ଷିକ ୨୪ ଲକ୍ଷ ପୋଷାକ ଉତ୍ପାଦନ କରିବ । ଗତ ବର୍ଷ ଜୁଲାଇରେ ଭୁବନେଶ୍ୱରରେ ଅନୁଷ୍ଠିତ ଓଡ଼ିଶା ଟେକ୍ସଟାଇଲ କନ୍କ୍ଲେଭ (ଓ-ଟେକ୍ସ)ରେ, ୭,୮୦୦ କୋଟି ଟଙ୍କାର ୩୩ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା, ଯାହା ରାଜ୍ୟ ସାରା ୫୩,୦୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି। ଭଦ୍ରକରେ ଏକ ଟେକ୍ନିକାଲ ଟେକ୍ସଟାଇଲ ପାର୍କ ସହିତ, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ, କଟକ ଏବଂ ଜଗତସିଂହପୁର ଠାରେ ମଧ୍ୟ ସମର୍ପିତ ବୟନଶିଳ୍ପ ଏବଂ ପୋଷାକ ପାର୍କ ପ୍ରତିଷ୍ଠା କରାଯାଉଛି।