ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆଉ ୨ ଦିନ ବଢିଲା ପ୍ରଦର୍ଶନୀ
ରାଜ୍ୟକାହାଣୀ ( ଭୁବନେଶ୍ୱର )ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି।ସୂଚନାଥାଉକି, ଆଜି ସମାପ୍ତ ହେବାକୁ ଯାଉଥିବା ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଦୁଇ ଦିନ ଅର୍ଥାତ ଚଳିତ ମାସ ବାର ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ତାରିଖ ଦିନ ଏଠାରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ଏହି ପ୍ରଦର୍ଶନୀ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ଉଦ୍ଘାଟିତ ହୋଇଥିଲା । ଓଡ଼ିଶା ପୋଲିସ ଦ୍ଵାରା ଆୟୋଜିତ ଏହି ପ୍ରଦର୍ଶନୀରେ ସଚେତନତା ବାର୍ତ୍ତାବାହୀ ଏକ ପଥପ୍ରାନ୍ତ ନାଟକକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହିତ ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ ଗୃହ ବିଭାଗର ବିଭିନ୍ନ ଷ୍ଟଲ ଅତି ଉଚ୍ଚକୋଟିର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ୨୦୨୫ ଶେଷ ପର୍ଯ୍ୟନ୍ତ, ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ୨୦୨୫ ରେ ଜିରୋ ଏଫଆଇଆର ସଂଖ୍ୟା ୧୬୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ଆଇନ ବ୍ୟତୀତ ଆମେ ପୋଲିସକୁ ଦକ୍ଷ କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନେଉଛୁ। National Forensic Science University ଏବଂ Central Forensic Science Laboratory ପାଇଁ ଶିଳାନ୍ୟାସ କରାଯାଇଛି। ଆଧୁନିକ ଟେକ୍ନୋଲୋଜିରେ ପୋଲିସକୁ ପାରଙ୍ଗମ କରିବା ପାଇଁ ଆଇଆଇଟି ଭୁବନେଶ୍ବର ସହିତ ଏମଓୟୁ ହୋଇଛି। ପୋଲିସ୍ କୁ ବିଭିନ୍ନ ଆଧୁନିକ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେବା ପାଇଁ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ମଧ୍ୟ ଏମଓୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।