ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର (ରାଜ୍ୟକାହାଣୀ )ମଣ୍ଡିରେ ଚାଷୀ ହଇରାଣ ହେବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ସମ୍ବନ୍ଧେରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି।ନବୀନ ପଟ୍ଟନାୟକ ନିଜ ଚିଠିରେ ଲେଖିଛନ୍ତି ଯେ, ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ ତତ୍‌ଜନିତ କଷଣର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଦୁଃଖର ସହ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। କୃଷି ହେଉଛି ଓଡିଶାର ଜୀବନ ରେଖା। ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀଙ୍କ ପାଇଁ ଏକ ସଂଘର୍ଷମୟ ପରିସ୍ଥିତି ସୃଷ୍ଟି କରିଛି ।

୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୁର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବାସ୍ତବ ସ୍ଥିତି ହେଉଛି ଯେ, ରାଜ୍ୟରେ ଥିବା ମଣ୍ଡି ଗୁଡିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି। ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକରେ ଧ୍ୟାନ ଦିଅନ୍ତୁ | ଯଥା ଆଦ୍ରତା ଓ ନିମ୍ନ ମାନର ଧାନ ଆଦି ବିଭିନ୍ନ ଆଳରେ ସେମାନଙ୍କ ଠାରୁ କ୍ୱିଣ୍ଟାଲ ପିଛା ୫ ରୁ ୭ କେଜି ପର୍ଯ୍ୟନ୍ତ କଟନୀ-ଛଟନୀ | ରାଜ୍ୟର ସବୁ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଇନପୁଟ୍ ସବ୍ସିଡି ୮୦୦ ଟଙ୍କା ଲେଖାଏଁ ଦେବା ପାଇଁ ବିଜେପି ସରକାର ଘୋଷଣା କରିଥିଲେ। କିନ୍ତୁ ନିକଟରେ ସରକାର ଏହି ସବ୍‌ସିଡି ପାଇଁ ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଭଙ୍ଗର ନିଛକ ଉଦାହରଣ। ଏହି ସିଲିଙ୍ଗ୍ ଅଧିକ ଉତ୍ପାଦନ କରୁଥିବା ଚାଷୀ ମାନଙ୍କ ପାଇଁ ଦଣ୍ଡ ସ୍ୱରୁପ ଏବଂ ଏହା ବିଜେପେ ସଂକଳ୍ପ ପତ୍ରର ବିରୁଦ୍ଧାଚରଣ କରୁଛି। ଧାନ ମଣ୍ଡି ମାନଙ୍କରେ ସଂଗ୍ରହ ପ୍ରକ୍ରିୟା ଆଶ୍ଚର୍ଯ୍ୟଜନକ ଭାବରେ ମନ୍ଥର ଗତିରେ ଚାଲିଛି । ତେଣୁ ଧାନକୁ କାକର ଓ ଚୋରୀରୁ ରକ୍ଷା କରିବା ପାଇଁ ଚାଷୀ ମାନଙ୍କୁ ରାତିସାରା ଜଗି ରହିବାକୁ ପଡୁଛି । ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧାର ଅଭାବ, ଟୋକନ ବ୍ୟବସ୍ଥାରେ ବିଫଳତା ଏବଂ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଆଦି ସମସ୍ୟା ଚାଷୀ ମାନଙ୍କୁ ଆନ୍ଦୋଳନାତ୍ମକ ମାର୍ଗ ବାଛିବାକୁ ବାଧ୍ୟ କରୁଛି ।କଟନୀ-ଛଟନୀ, ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ଏବଂ ଧାନ ସଂଗ୍ରହ ଓ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି, ଯାହା ଦ୍ୱାରାକି ଚାଷୀମାନେ ଅସାଧୁ ବ୍ୟବସାୟୀ ଓ ମିଲର ମାନଙ୍କ ଶୋଷଣର ଶୀକାର ହେଉଛନ୍ତି । ଚାଷୀକୁ ତାର ଋଣ ପରିଶୋଧ କରିବା ପାଇଁ ବାଧ୍ୟ ହୋଇ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ବହୁତ କମ୍ ଦରରେ ଧାନ ବିକିବାକୁ ପଡୁଛି ।

You might also like