ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି

ଭୁବନେଶ୍ୱର (ରାଜ୍ୟକାହାଣୀ )ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ବିଜେଡିର ପ୍ରଶ୍ନ । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି ।ସରକାର କେବଳ ବ୍ଲେମ ଗେମ ଖେଳୁଛନ୍ତି । ନିଜେ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ଅଛନ୍ତି । ଟ୍ରିପଲ ଇ଼ଜିନ ସରକାରରେ ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା । ହେଲେ ତାହା ଏବେ ନିରାଶାରେ ପରିଣତ ହେଲାଣି । ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲ ଅବଧି ସରିବାକୁ ଯାଉଛି । ଏହାର ଅବଧି ଆଉ ୯ ମାସ ବୃଦ୍ଧି କରିବାକୁ ସରକାର ଚିଠି ଲେଖିବା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ୯ ମାସ ବୃଦ୍ଧି କରିଦେଲେ ମହାନଦୀ ଜଳ ବିବାଦର କ’ଣ ସମାଧାନ ବାହାରିଯିବ ବୋଲି ଦଳ ପ୍ରଶ୍ନ କରିଛି । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସବୁ ଫୋରମ୍‌ରେ ଓଡ଼ିଶାକୁ ନ୍ୟାୟ ଦେବାକୁ ରାଜ୍ୟ ସରକାର ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଶୁଣିଲେ ନାହିଁ, କେନ୍ଦ୍ର ଜଳ ସଂପଦ ବିଭାଗ ଶୁଣିଲା ନାହିଁ, ଛତିଶଗଡ଼ ସରକାର ଶୁଣିଲେ ନାହିଁ । ଫଳରେ ଆମେ ସୁପ୍ରିମକୋର୍ଟ ଗଲୁ । ଏବେ ଟ୍ରିପଲ ଇଞ୍ଜିନ ସରକାର । ଆମେ ଭାବୁଥିଲୁ ଏବେ ଏହାର ସମାଧାନ ହୋଇଯିବ । ହେଲେ ସେ ଆଶା ଏବେ ନିରାଶା ହୋଇଗଲା । ଏବେ ଆପୋଷ ସମାଧାନ କଥା କହି ଅଧିକ ଗୋଳିଆ କରୁଛନ୍ତି ।ବର୍ତ୍ତମାନ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ ସହ ବାଲି ବନ୍ଧ ତିଆରି କରୁଛନ୍ତି। ରାଜ୍ୟ ସରକାର ନିରବ। ରାଜ୍ୟବାସୀଙ୍କ ଛାତିରେ ସରକାର ଛୁରା ମାରୁଛନ୍ତି ବୋଲି କହିଛି ବିଜେଡି । ରାଜ୍ୟର ପାଣିକୁ ଛତିଶଗଡ଼ ସରକାର କମ୍ପାନୀକୁ ଦେଉଛନ୍ତି । ଏହା ବନ୍ଦ ନ ହେଲେ ଓଡ଼ିଶା ତଳିତଳାନ୍ତ ହୋଇଯିବ। ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ସରକାର ଏହାର ସମାଧାନ ନ କଲେ ରାଜ୍ୟବାସୀ ଜବାବ ଦେବେ ବୋଲି ଚେତେଇ ଦେଇଛି ବିଜେଡି ।

You might also like