ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି: ବିଜେଡି
ଭୁବନେଶ୍ଵର (ରାଜ୍ୟ କାହାଣୀ) ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟ ପୁସ୍ତକରେ ମାଳ ମାଳ ଭୁଲ୍ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି । ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି । ଯାହାକି ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଥିବାର ଜ୍ୱଳନ୍ତ ଚିତ୍ର ସର୍ବସମ୍ମୁଖକୁ ଆସିଛି ବୋଲି କହି ଅଭିଯୋଗ ଆଣିଲା ବିଜେଡି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ ଲେନିନ୍ ମହାନ୍ତି ଏହି ପାଠ୍ୟପୁସ୍ତକ ଗୁଡ଼ିକୁ “ଜାତୀୟ ଲଜ୍ଜା” ବୋଲି କହିଛନ୍ତି। ଓଡିଆ ଅସ୍ମିତା ପ୍ରତି କୋଠର ଆଘାତ କରିବା ସହ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଉପରେ ସିଧା ଆକ୍ରମଣ ବୋଲି ମତପ୍ରକାଶ କରିଛନ୍ତି। ଡଃ ମହାନ୍ତି କହିଛନ୍ତି, ‘ଓଡ଼ିଆ ଆସ୍ମିତା’ ସ୍ଲୋଗାନ୍ ଦେଇ ବୁଲୁଥିବା ବିଜେପି ସରକାର ଏହି ପାଠ୍ୟପୁସ୍ତକ ମାଧ୍ୟମରେ ତାହାର ସମ୍ପୂର୍ଣ୍ଣ ତ୍ରୁଟି ପ୍ରକାଶ କରିଛି। ସେମାନେ ଓଡ଼ିଆ ଗର୍ବକୁ ପ୍ରୋତ୍ସାହିତ କରୁନାହାନ୍ତି, ବରଂ ଅଯୋଗ୍ୟତା, ଅଦକ୍ଷତା ଓ ମାତୃଭାଷା ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି।