ବନାଗ୍ନି ନିୟନ୍ତ୍ରଣ ପାଇଁ ବନ ବିଭାଗର ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ଆସନ୍ତା ବନାଗ୍ନି ଋତୁକୁ ସଫଳତାର ସହ ମୁକାବିଲା କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବନାଗ୍ନି ମୁକାବିଲା ପାଇଁ ଏହି ବର୍ଷ ବୈଷୟିକ କୌଶଳ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ଏଆଇ କ୍ୟାମେରା ଓ ଡ୍ରୋନ ମାଧ୍ୟମରେ ରଖାଯିବ ନଜର। ୩୩୪ ବନାଗ୍ନି ସୁରକ୍ଷା ଦଳ ନିୟୋଜିତ କରାଯାଇଛି ବୋଲି ଓ ବନବାହିନୀ ମୁଖ୍ୟ ଡ କେ. ମୁରୁଗେସନ ସୂଚନା ଦେଇଛନ୍ତି।ଗତବର୍ଷର ପରିସଂଖ୍ୟାନ ଅନୁଯାୟୀ, ଓଡ଼ିଶାରେ ପ୍ରାୟ ୨୯,୭୦୯ଟି ବନାଗ୍ନି ସ୍ଥଳ ଚିହ୍ନଟ ହୋଇଥିଲା। ଶୁଷ୍କ ପାଗ ଏବଂ ଜଙ୍ଗଲରେ ସଞ୍ଚିତ ଶୁଖିଲା ପତ୍ର ସାଙ୍ଗକୁ ମାନବଜନିତ ଅବହେଳା ଯୋଗୁଁ ଏହି ଅଘଟଣମାନ ଘଟିଥିଲା। ତଥାପି, ଉପଗ୍ରହ ଆଧାରିତ ସତର୍କ ସୂଚନା ଏବଂ ବନ କର୍ମଚାରୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପ୍ରାୟ ୯୯.୭ ପ୍ରତିଶତ ଘଟଣାକୁ ନିୟନ୍ତ୍ରଣ କରାଯାଇ କ୍ଷତିର ପରିମାଣକୁ ସର୍ବନିମ୍ନ କରାଯାଇଥିଲା। ଏହି ସଫଳତାକୁ ଆଧାର କରି ଚଳିତ ବର୍ଷ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ଜଙ୍ଗଲ ମଧ୍ୟରେ ନିଆଁର ବ୍ୟାପ୍ତିକୁ ରୋକିବା ପାଇଁ ପ୍ରାୟ ୨୦,୪୬୧ କିଲୋମିଟର ଦୈର୍ଘ୍ୟର ଅଗ୍ନିରୋଧକ ରେଖା ସୃଷ୍ଟି କରାଯାଇଛି।ବନ ବିଭାଗ ପକ୍ଷରୁ ସ୍ଥାନୀୟ ସମୁଦାୟ ଏବଂ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିବେଦନ କରାଯାଇଛି। ବନ ସୁରକ୍ଷା ସମିତି ଏବଂ ଇକୋ-ଡେଭଲପମେଣ୍ଟ କମିଟି ମାଧ୍ୟମରେ ପ୍ରାୟ ୩୩୬ଟି ଗ୍ରାମରେ ସଚେତନତା ସୃଷ୍ଟି କରାଯାଉଛି। ଜଙ୍ଗଲରେ ଅସାବଧାନତା ବଶତଃ ନିଆଁ ନ ଲଗାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ସାଧାରଣ ଜନତାଙ୍କ ସକ୍ରିୟ ସହଭାଗିତା ବିନା ଏହି ପ୍ରାକୃତିକ ସମ୍ପଦର ସୁରକ୍ଷା ସମ୍ଭବ ନୁହେଁ ବୋଲି ମୁରୁଗେସନ କହିଛନ୍ତି।