ପ୍ରଶ୍ନକାଳରୁ କଂଗ୍ରେସର ହଟ୍ଟଗୋଳ। ସଂକଳ୍ପ ଉପସ୍ଥାପନ ସୁଯୋଗ ନମିଳିବାରୁ ପ୍ରତିବାଦ

ଭୁବନେଶ୍ୱର, (ରାଜ୍ୟକାହାଣୀ) ଚଳିତ ଶୀତ ଅଧିବେଶନ ଆରମ୍ଭରୁ ଗୃହ ସୁରୁଖୁରୁରେ ଚାଲିଆସିଥିବା ବେଳେ ଆଜି କଂଗ୍ରେସର ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ପ୍ରଭାବିତ ହୋଇଛି । ଗତକାଲି ଅର୍ଥାତ୍ ବୁଧବାର ବେସରକାରୀ କାର୍ଯ୍ୟ ଦିବସରେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମଙ୍କୁ ସଂକଳ୍ପ ଉପସ୍ଥାପନ କରିବା ପାଇଁ ସୁଯୋଗ ଦିଆନଯିବା ପ୍ରତିବାଦରେ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ଫଳରେ ଆଜି ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିପରିନାହିଁ । ବାଚସ୍ପତି ଗୃହକୁ ୩ ଟି ପର୍ଯ୍ୟାୟରେ ଗୃହକୁ ୨୪ ମିନିଟ ମୁଲତବୀ କରିବା ପରେ ଗୃହରେ ବାଚସ୍ପତି ଘୋଷଣା କରି କହିଥିଲେ ଯେ, କଂଗ୍ରେସ ବିଧାୟକ ଦଳ ନେତା ଆଣିଥିବା ସଂକଳ୍ପ ଆସନ୍ତା ୧୨ ତାରିଖ ଦିନ ଆଲୋଚନା ହେବ। ବାଚସ୍ପତିଙ୍କ ଘୋଷଣା ପରେ ଗୃହ ସ୍ୱାଭାବିକ ହୋଇଥିଲା ଓ ଗୃହ ବିଭାଗର ଖର୍ଚ୍ଚଦାବି ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇଥିଲା ।

ବୁଧବାର ଅପରାହ୍ନରେ କଂଗ୍ରେସ ବିଧାୟକ ଦଳ ନେତା “ରାଜ୍ୟରେ ଓ.ବି.ସି. ଏସ୍.ସି.ବି.ସି. ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ସଂଖ୍ୟାନୁପାତିକ ଆଧାରରେ ସମସ୍ତ ପ୍ରକାର ଉଚ୍ଚଶିକ୍ଷା (ବୈଷୟିକ/ମେଡ଼ିକାଲ/ ବୃଭିଗତ) ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ଲାଗୁ କରିବା ସଙ୍ଗେ ସଙ୍ଗେ ଏହି ସଂଖ୍ୟାନୁପାତିକ ସଂରକ୍ଷଣ ବ୍ୟବସ୍ଥାକୁ “ସମ୍ବିଧାନର ନବମ ସୂଚୀ”ରେ ସାମିଲ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖନ୍ତୁ” ସଂକଳ୍ପ ଉପସ୍ଥାପନ ଓ ଆଲୋଚନା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା । ଏହି ସଂକଳ୍ପ ଉପସ୍ଥାପନ ପାଇଁ ଗତକାଲି ସମୟ ନଦେବା ପ୍ରତିବାଦରେ କଂଗ୍ରେସ ଆଜି ଗୃହରେ ପ୍ରତିବାଦ କରିଛି ।ଗୁରୁବାର ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ସ୍ଲୋଗାନ ଦେଇଥିଲେ। ଗୃହ ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସ ବିଧାୟକ ଅଶୋକ ଦାସ, ଦାଶରଥି ଗମାଙ୍ଗ, ନୀଳମାଧବ ହିକ୍କାକା, କାଡ୍ରାକା ଆପାଲାସ୍ଵାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସଉନ୍ତା, ସାଗର ଦାସ, ସି ଏସ ରାଜନ୍ ଏକ୍କା ପ୍ରମୁଖ ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ଜୋରଦାର ହୋହାଲ୍ଲା କରିଥିଲେ । ବାଚସ୍ପତି ସୁରମା ପାଢ଼ୀ କଂଗ୍ରେସ ସଦସ୍ୟମାନଙ୍କୁ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା । ଫଳରେ ବାଚସ୍ପତି ଗୃହକୁ ୧୦ ଟା ୪୬ ରୁ ୧୧ ଟା ୩୦ ପଯ୍ୟନ୍ତ ମୁଲତବୀ ରଖିଥିଲେ ।
ପୁନଶ୍ଚ ଶୂନ୍ୟକାଳରେ ଗୃହରେ ପୁଣି ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ ଯେ, ରାଜ୍ୟରେ ୪୦ ପ୍ରତିଶତ ଏସସି ଏସ ଟି ଓ ୫୪ ପ୍ରତିଶତ ପଛୁଆ ବର୍ଗ ଅଛନ୍ତି ।

ମାତ୍ର ଇଞ୍ଜିନିୟରିଂ ଓ ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ଏସସି ଏସ ଟି ଙ୍କୁ ୨୦ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ପଛୁଆ ବର୍ଗଙ୍କୁ ଆଦୌ ସଂରକ୍ଷଣ ଦିଆଯାଇ ନାହିଁ। ସରକାର ସବୁବେଳେ ୫୦ ପ୍ରତିଶତ କହୁଛନ୍ତି, ମାତ୍ର ତାମିଲନାଡୁ ସରକାର ନିଜ ବିଧାନସଭାରେ ୬୯ ପ୍ରତିଶତ ସଂରକ୍ଷଣ ସଂକଳ୍ପ ପାରିତ କରିବ ସହ ଏହି ସଙ୍କଳ୍ପକୁ କେନ୍ଦ୍ର କୁ ପଠାଇଥିଲେ । କେନ୍ଦ୍ର ସରକାର ଏହାକୁ ଅନୁମୋଦନ ଦେବ ପରେ ଏହା ସମ୍ବିଧାନ ର ନବମ ଅନୁଛେଦରେ ସାମିଲ ହୋଇସାରିଛି । ଏଥିରେ ଆଉ ଆଇନ ଗତ ସମସ୍ୟା ନାହିଁ । ସମାନ ଭାବେ ଓଡ଼ିଶା ବିଧାନସଭା ଏପରି ସଂକଳ୍ପ ପାରିତ କରିବାର ଆବଶ୍ୟକତା ଅଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଏସସିଏସଟି ଙ୍କୁ ୪୦ ପ୍ରତିଶତ ଓ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଦିଆଯାଉ ବୋଲି ସେ ଦାବି କରିଥିଲେ।
ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ରୁଲ ୨୫ ନିୟମକୁ ଉଦ୍ଧାର କରି ବାଚସ୍ପତି ଏନେଇ ଏକ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ ।

You might also like