ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ରାଜ୍ୟ କାହାଣୀ (ଭୁବନେଶ୍ୱର )ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ବିଭିନ୍ନ ସ୍କିମ୍ ଓ ବଜେଟ୍‌ ମାଧ୍ୟମରେ ବିଭାଗକୁ ମିଳୁଥିବା ଅର୍ଥରାଶିର ଶତପ୍ରତିଶତ ଉପଯୋଗ କରି ରାଜ୍ୟବାସୀଙ୍କୁ ଉନ୍ନତ ମାନର ଗମନା ଗମନ ସୁବିଧା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏଥିସହିତ ରାସ୍ତା ଓ ସେତୁ ଗୁଡିକର ଗୁଣବତ୍ତା ସହିତ ଏହାର ରକ୍ଷଣା ବେକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ମାନର କାମ କରୁଥିବା କଣ୍ଟ୍ରାକ୍ଟର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପାହାଡିଆ ଅଞ୍ଚଳରେ ଥିବା ଗ୍ରାମଗୁଡିକରେ ଲୋକଙ୍କ ଗମନାଗମନ ପାଇଁ ଉତ୍ତମ ମାନର ରାସ୍ତା ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା କଣ୍ଟ୍ରାକ୍ଟର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ତେବେ ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ୟାମିନୀ ଷଡଙ୍ଗୀ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସାହୁ ଏବଂ ଇଂ ପ୍ରଦୀପ କୁମାର ଜେନା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

You might also like