ନବନିର୍ମାଣ କୃଷକ ସଂଗଠନର ପ୍ରାଇସ୍‌, ପ୍ରେଷ୍ଟିଜ୍ ଓ ପେନସନ୍‌କୁ ନେଇ ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୩୧, କେଉଁଝରରୁ ଭୁବନେଶ୍ୱର ପଦଯାତ୍ରା

ଭୁବନେଶ୍ୱର, ( ରାଜ୍ୟ କାହାଣୀ)ଦୀର୍ଘ ୨୪ ବର୍ଷର ବିଜେଡ଼ି ସରକାରର ପତନ ପରେ ଗତ ଦେଢ଼ବର୍ଷ ହେଲା ଡ଼ବଲ ଇଞ୍ଜିନ୍ ଚାଳିତ ବିଜେପି ସରକାର ରାଜ୍ୟରେ ଶାସନ ଭାର ସମ୍ଭାଳିଛି । କିନ୍ତୁ ଚାଷୀର ସ୍ଥିତି ବଦଳିଲା ନାହିଁ । ଗୋଟିଏ ପଟେ ଚାଷୀ ପାଇଁ ଧାନର କ୍ୱିଣ୍ଟାଲ ପିଛା ଟ. ୮୦୦/- ସହାୟତା ଦେଇ କ୍ୱିଣ୍ଟାଲରେ କାଟ ହେଉଛି ୫ କେ.ଜି ରୁ ୨୦ କେ.ଜି ପର୍ଯ୍ୟନ୍ତ ଓ ସାର କ୍ୱିଣ୍ଟାଲର ଲୁଟି ନେଲେ ଟ. ୮୦୦/- । ବାର୍ଦ୍ଧକ୍ୟ ଭତ୍ତା ୬୦ ବର୍ଷରୁ ଟ. ୩୦୦୦/- ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ଫାଙ୍କିଦେଇ ୮୦ ବର୍ଷରୁ କେତେକ ବୁଢ଼ାବୁଢ଼ିଙ୍କ ପାଇଁ ଘୋଷଣା କରିବା ହାସ୍ୟାସ୍ପଦ । ଗତ ସରକାର କାଳିଆ ଯୋଜନାରେ ଟ.୧୦,୦୦୦/- ଭତ୍ତାକୁ ଟ. ୪୦୦୦/- କରିଦେଇଥିବା
ବେଳେ ବି.ଜେ.ପି. ସରକାର ବି ନାମ ପରିବର୍ତ୍ତନ କରି ସି.ଏମ୍‌.କିଶାନ୍ ଯୋଜନା ନାମରେ ସେହି ଟ. ୪,୦୦୦/-ରେ ସିମୀତ ରଖିଛନ୍ତି । ଚାଷୀ ସୁରକ୍ଷା ଭତ୍ତା ଶୂନ । ୨୦ ବର୍ଷ ବୟସରୁ ୩୬ ଲକ୍ଷ ଚାଷୀ ପରିବାରକୁ ମାସିକ ଟ. ୧୦,୦୦୦/- ହିସାବରେ ବାର୍ଷିକ ବଜେଟ୍‌ର ଟ. ୪୩,୨୦୦/- କୋଟି ଟଙ୍କା ଯାହା ବଜେଟ୍‌ର ୬ ଭାଗରୁ ଏକ ଭାଗ, ଏ ବିଷୟ ସରକାର ଚିନ୍ତା ବି କରିନାହାଁନ୍ତି। ଆଗାମୀ ଜାନୁୟାରୀ ୧, ୨୦୨୬ ରୁ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ୍ ଲାଗୁ କରିବାକୁ ବସିଥିବା ବେଳେ, ଯେଉଁଠାରେ ଗୋଟିଏ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ପିଅନଟି ପାଇବ ମାସିକ ଟ. ୪୫,୦୦୦/- ଏବଂ ଜଣେ ପ୍ରଥମ ଶ୍ରେଣୀ କର୍ମଚାରୀ ପାଇବ ସାଢ଼େ ପାଞ୍ଚ ଲକ୍ଷ ଟଙ୍କା। ସେଠାରେ ଚାଷୀଟି ମାସିକ ସୁରକ୍ଷା ଭତ୍ତା ପିଅନର ୪ ଭାଗରୁ ଏକ ଭାଗ ଅର୍ଥାତ୍ ଟ.୧୦,୦୦୦/ କାହିଁକି ପାଇବ ନାହିଁ ? ଧାନ ସମେତ ୨୩ ଫସଲ ଉପରେ କେନ୍ଦ୍ର ସରକାର କାହିଁକି ଏମ୍‌.ଏସ୍‌. ସ୍ୱାମୀନାଥନ୍ କହିଥିବା ଉ +୫୦% ସୂତ୍ରକୁ ଲାଗୁ କରୁନାହାଁନ୍ତି ? ଯଦି ସ୍ୱାଧିନତା ପରେ ପଞ୍ଜାବରେ ୨୫ ବର୍ଷ ଭିତରେ ସଂପୂର୍ଣ୍ଣ ଜମିକୁ ଜଳସେଚନ ସମ୍ଭବ ହେଲା, ନୂତନ ଗଠିତ ତେଲେଙ୍ଗାନା ରାଜ୍ୟରେ ସମ୍ଭବ ହେଲା, ତେବେ କାହିଁକି ଏବେ ବି ଓଡ଼ିଶାରେ ସମ୍ଭବ ହୋଇପାରୁ ନାହିଁ ? ଉତ୍କର୍ଷ ଓଡ଼ିଶାର ସ୍ଲୋଗାନ୍ ଦେଇଥିବା ମୋହନ ସରକାର ସମୟରେ ଖଣିପାଇଁ ଆଦାନୀ ୨ ଲକ୍ଷ ୨୨ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବା ବେଳେ ଜଳସେଚନ ପାଇଁ କାହିଁକି ପୁଞ୍ଜି ବିନିଯୋଗ କରାଯାଉ ନାହିଁ ? ଯଦି ସରକାର ସମ୍ପୂର୍ଣ୍ଣ ଜଳସେଚନ କରି ତିନି ତିନିଟା ଫସଲ ନେବାରେ ଚାଷୀକୁ ସହଯୋଗର ହାତ ବଢ଼ାନ୍ତେ, ତେବେ ୨୦ ପ୍ରତିଶତ କର କାଟିନେଲେ ବି ଚାଷୀଟି କ୍ଷତିଗ୍ରସ୍ତ ହେବନାହିଁ । କେବଳ ବିକାଶ ନାମରେ ଏ ସରକାର ଆଗାମୀ ୧୦ ବର୍ଷ ଭିତରେ ସମସ୍ତ ଖଣିଜ ସମ୍ପଦକୁ ଶାଗ ମାଛ ମୂଲ୍ୟରେ ବିକ୍ରି କରି ଅମୂଲ୍ୟ ଜମି, ଜଳ ଓ ଜଙ୍ଗଲକୁ ନଷ୍ଟ କରି ସାଧାରଣ ଲୋକଟିକୁ ଇଣ୍ଡୋନେସିଆ ଓ ବ୍ରାଜିଲ୍ ଭଳି ଦାଣ୍ଡର ଭିକାରୀ କରିଦେବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ଯେଉଁଥିରେ ମୁନାଫା ସାଉଁଟି ନେବେ ଆମ୍ବାନୀ, ଆଦାନୀ, ଟାଟା, ବିର୍ଲା ଓ ଜିନ୍ଦଲ ଆଦି କମ୍ପାନୀମାନେ ଏବଂ ରାଜନୈତିକ ନେତା ଓ ଅଫିସରମାନେ ଦଲାଲି କରି ମାଲେମାଲ୍ ହେବେ । ଷଣ୍ଡ, ମାଙ୍କଡ଼, ବାରାହା, ହାତୀ ଇତ୍ୟାଦିଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀ ମୁକ୍ତି ପାଇପାରିଲା ନାହିଁ। ଆମ ରାଜ୍ୟରେ ବିଜୁଳି ଉତ୍ପାଦନ ହେଲେ ବି ଚାଷୀ ଟାଟା ପାୱାର ଦ୍ୱାରା ଦୁଇଗୁଣ ଦେଉଛି କାହିଁକି ? ବିଜେପି ପାର୍ଟି ସରକାରରେ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା, ସରକାରକୁ ଆସିଲେ ମଦ ଓ ନିଶା ବନ୍ଦ ହେବ । କିନ୍ତୁ ମଦ ଠିକା ଦୋକାନ ଗୁଡ଼ିକ ବଢ଼ିଚାଲିଛି । ମଦ ବିକ୍ରିର ଆୟରେ ସରକାର ବିକାଶ ପାଇଁ ନକ୍‌ସା ଟାଣିଛନ୍ତି । ଏହାଠାରୁ ବଡ଼ ନୈତିକ ଅଧୋପତନ ଆଉ କିଛି ନୁହେଁ । ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ଯଥା ପୂର୍ବମ୍‌- ତଥା ପରମ୍। ଏଥିପାଇଁ ଚାଷ ଓ ଚାଷୀର ସୁରକ୍ଷା ପାଇଁ, ଯୁବକମାନଙ୍କୁ ରୋଜଗାର ଦେବାପାଇଁ, ନିଶାମୁକ୍ତି ଓଡ଼ିଶା ପାଇଁ, ଓଡ଼ିଶାର ଜମି, ଜଳ ଓ ଜଙ୍ଗଲକୁ ବଞ୍ଚାଇବା ସହିତ ଖଣିର ଲୁଟ୍‌କୁ ରୋକିବା ପାଇଁ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟର ସୁନିଶ୍ଚିତ କରିବା ପାଇଁ ଏକ “ଜନ ଅଧିକାର ପଦଯାତ୍ରା” ଆଗାମୀ ମାର୍ଚ୍ଚ ୨୨ ରୁ କେଉଁଝରରୁ ବାହାରି ମାର୍ଚ୍ଚ ୩୧ ତାରିଖରେ ଭୂବନେଶ୍ୱରରେ ପହଞ୍ଚିବ ବୋଲି ଆଜି ନବନିର୍ମାଣ କୃଷକ ସଂଗଠନ ତରଫରୁ କସ୍ତୁରବା ନାରୀ ମହଲରେ ହେଉଥିବା ରାଜ୍ୟ କାର୍ଯ୍ୟକାରିଣୀ ଓ ସାଧାରଣ ପରିଷଦ ସମାବେଶରେ ସଂଗଠନର ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଘୋଷଣା କରିଛନ୍ତି । ଏଥିରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ
ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ, ନିମାଇଁ ରାଏ, ଉମାକାନ୍ତ ଭାରତ, ନବନିର୍ମାଣ ଯୁବଛାତ୍ର ସଂଯୋଜକ ମନୱର ଅଲି, ରାଜ୍ୟ କମିଟି ସଦସ୍ୟ ଡ଼ଃ କୁଳମଣୀ, ଦେବୀ ପ୍ରସାଦ ମହାରଣା, ରଣଜିତ୍ ପଟ୍ଟନାୟକ, ଅଶ୍ୱିନୀ ଜେନା, ଦୀନେଶ ଦାସ, ନିରଞ୍ଜନ ପ୍ରଧାନ, ଦୁର୍ଗାଚରଣ ସ୍ୱାଇଁ,
ଅଶୋକ ସ୍ୱାଇଁ, ସୁବାଷ ପଣ୍ଡା, ବିଚିତ୍ର ପଣ୍ଡା, ଅଶୋକ ଶାନ୍ତି, ମାଧବ ଶାନ୍ତି, ଅକ୍ରୁର ସ୍ୱାଇଁ, ଦୋଳଗୋବିନ୍ଦ ସାହୁ, ତ୍ରିଲୋଚନ ପଣ୍ଡା, ସତ୍ୟ ନାୟକ, ଜାହିର ଖାଁ, ପ୍ରସନ୍ନ ସ୍ୱାଇଁ, ଈଶ୍ୱର ପ୍ରଧାନ, ଇରା ପଡ଼ିଆନି, ଲକ୍ଷ୍ମୀଧର ପ୍ରଧାନ, ଖଗେଶ୍ୱର ମହାନ୍ତ, ପ୍ରଦ୍ୟୁମ୍ନ ପାଢ଼ୀ, ଲିଙ୍ଗରାଜ ପ୍ରଧାନ, ଶ୍ରୀକାନ୍ତ ସାହୁ, ସୁଧିର ବଘାର, ରାଇମଣି ବିଶ୍ୱାଳ, ଶ୍ରବଣ କୁମାର ଛଟିଆ, ମାଣିକ ପାଇକ, ସଂଗୀବ ପଟେଲ, କେଶବ ବେହେରା, ଜୟନ୍ତ ତ୍ରୀପାଠୀ, ପ୍ରଫୁଲ ପରିଡ଼ା, ରଙ୍ଗ ପାତ୍ର, ଅମିତ ଜେନା, ବିକାଶ ମହାକୁଡ଼, ହୃଷୀକେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଶେଷଦେବ ନନ୍ଦ
ରାଜ୍ୟ ସଂଯୋଜକ
ନବନିର୍ମାଣ କୃଷକ ସଂଗଠନ

You might also like