ଦିଲ୍ଲୀ ରେ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନର ସମର୍ଥନରେ ଭୁବନେଶ୍ବରରେ ଦିନିକିଆ ଅନଶନ ସତ୍ୟାଗ୍ରହ : ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର, ରାଜ୍ୟ କାହାଣୀ: ଗତ ମେ ୩ ତାରିଖରେ ମେଡ଼ିକାଲ ପ୍ରଦେଶିକା ପରୀକ୍ଷା ପାଇଁ ନିଟ୍ ପ୍ରଶ୍ନପତ୍ର ଲିକ୍ ହେବା ଓ ଗତ ୧୦ ବର୍ଷ ଭିତରେ ୨୦୧୫, ୨୦୧୬, ୨୦୨୧, ୨୦୨୪କୁ ମିଶାଇ ୫ ଥର ନିଟ୍ ପେପର ଲିକ୍ ହେବା ଏବଂ ଅନ୍ୟ ପରୀକ୍ଷାଗୁଡ଼ିକ ସହିତ ୮୯ ଥର ହେବା ଘଟଣାକୁ ନେଇ ହୋଇଥିବା ଅନିୟମିତତା ସନ୍ଦର୍ଭରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉତ୍ତର ଦାୟିତ୍ବ ଓ ଇସ୍ତଫା ପ୍ରଦାନ ଦାବୀରେ ଦିଲ୍ଲୀରେ ଅଭିଜିତ୍ ଦିପକେଙ୍କ ନେତୃତ୍ବରେ କକ୍ରୋଚ୍ ଜନତା ପାର୍ଟି ତରଫରୁ ଜୁନ୍ ୨୦ରୁ ଚାଲିଥିବା ୧୨ ଦିନର ଧାରଣା ଓ ବିଶିଷ୍ଠ ଶିକ୍ଷାବିତ୍, ପରିବେଶବିତ୍ ସୋନମ୍ ଓ୍ବାଙ୍ଗଚୁକଙ୍କର ୪ଦିନର ଅନଶନ ସତ୍ୟାଗ୍ରହକୁ ସମର୍ଥନ କରି ଆଗାମୀ ଜୁଲାଇ ୪ ତାରିଖ ଭୁବନେଶ୍ବରରେ ଦିନିକିଆ ଅନଶନ ସତ୍ୟାଗ୍ରହ କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆଜି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଗତ ନିଟ୍ ପରୀକ୍ଷା ଲିକ୍ ଘଟଣାରେ ୧୪ ଛାତ୍ରଛାତ୍ରୀଙ୍କର ଆତ୍ମହତ୍ୟା ଓ କକ୍ରୋଚ୍ ଜନତା ପାର୍ଟିର ୧୨ ଦିନର ଧାରଣା ସହିତ ସୋନମ୍ ଓ୍ବାଙ୍ଗଚୁକଙ୍କର ୪ଦିନର ଅନଶନ ପରେ ମଧ୍ୟ ସରକାରଙ୍କ ତରଫରୁ ସମ୍ବେଦନଶୀଳତା ସହିତ କୌଣସି ସମାଧାନକୁ ଆସିନଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ନୀତିନ ନବୀନଙ୍କର ଧାରଣାରତ ସତ୍ୟାଗ୍ରହୀମାନଙ୍କୁ ଆତଙ୍କବାଦୀ ଓ ଦେଶର ବିଭାଜିତ ଶକ୍ତି କହି ଗାଳିଦେବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରବଦ୍ରଷ୍ଟା ହୋଇ ରହିବା କେବଳ ଏମାନଙ୍କର ସମ୍ବେଦନଶୂନ୍ୟତା ଓ ଉତ୍ତରଦାୟିତ୍ବ ହୀନତାର ଲକ୍ଷଣ ପ୍ରକାଶ ପାଉନାହିଁ, ବରମ୍ ସାମ୍ବିଧାନିକ ଗଣତାନ୍ତ୍ରିକ ମୂଲ୍ୟକୁ ନଷ୍ଟ କରିବା ସହିତ ଏକଛତ୍ରବାଦୀ ହୋଇ ଛାତ୍ରଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି ବୋଲି ଶ୍ରୀ କୁମାର ପ୍ରକାଶ କରିଛନ୍ତି।
ଗତ ମେ ୩ ତାରିଖରେ ମେଡ଼ିକାଲ ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ପରେ ମେ ୧୨ ତାରିଖରେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। କିନ୍ତୁ କକ୍ରୋଚ୍ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ୍ ଦିପକେଙ୍କ ନେତୃତ୍ବରେ ଜନ୍ତରମନ୍ତରରେ ଜୁନ୍ ୬ ତାରିଖରେ ପ୍ରଥମ ଦିନର ଧାରଣା ଦିଆଯାଇଥିଲା, ଯେଉଁଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉତ୍ତରଦାୟିତ୍ବକୁ ନେଇ ତାଙ୍କର ଇସ୍ତଫା ଦାବୀ କରାଯାଇଥିଲା। କିନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ନଦେବା ବା ପ୍ରଧାନମନ୍ତ୍ରୀଙ୍କ ଏ ବାବଦରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେବା ପରିଣାମରେ କକ୍ରୋଚ୍ ଜନତା ପାର୍ଟି ଜୁନ୍ ୨୦ ତାରିଖରୁ ଜନ୍ତରମନ୍ତରରେ ପୁନଃ ନିୟମିତ ଧାରଣା ଆରମ୍ଭ କରିଥିଲେ। ଯେତେବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୌଣସି ସକରାତ୍ମକ ପଦେକ୍ଷେପ ଦେଖିବାକୁ ମିଳିଲା ନାହିଁ, ତେଣୁ ବାଧ୍ୟ ହୋଇ ବିଶିଷ୍ଠ ଶିକ୍ଷାବିତ୍ ଓ ପରିବେଶବିତ୍ ସୋନମ୍ ଓ୍ବାଙ୍ଗଚୁକ୍ ଜୁନ୍ ୨୮ରୁ ୪ ଦିନ ହେଲା ଅନଶନରେ ବସି ରହିଛନ୍ତି। ଏହି ଧାରଣା ଓ ଅନଶନକୁ ସମର୍ଥନ କରି ଚାଷୀ ନେତା ଗୁରୁନାମ ସିଂ ଚଡୌନିଙ୍କ ସହିତ ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ମେ ୨୬ରୁ ୩ ଦିନ ପାଇଁ ଏହି ଧାରଣା ଓ ଅନଶନରେ ଯୋଗଦେଇଥିଲେ। ଯେହେତୁ ଛାତ୍ରମାନଙ୍କ ଭବିଷ୍ଯତ ସହିତ ଖେଳଖେଳିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇନାହାନ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି ଏବଂ ସୋନମ୍ ଓ୍ବାଙ୍ଗଚୁକଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରେ ଲାଗିଛି, ସେଥିପାଇଁ ଛାତ୍ରମାନଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ଏବଂ ସୋନମ୍ ଓ୍ବାଙ୍ଗଚୁକଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଆଗାମୀ ଜୁଲାଇ ୪ ତାରିଖରେ ଭୁବନେଶ୍ବରର ପିଏମଜିରେ ଦିନିକିଆ ଅନଶନ ସତ୍ୟାଗ୍ରହ ଓ ଧାରଣା ହେବାକୁ ଯାଉଛି। ଏହି ସତ୍ୟାଗ୍ରହରେ ସମସ୍ତ ଛାତ୍ରଛାତ୍ରୀ, ଯୁବକ, ମହିଳା, କୃଷକ, ମଜଦୂର, ସମସ୍ତ ନାଗରିକ ସମାଜ, ସମସ୍ତ ବିରୋଧୀ ରାଜନୈତିକ ପାର୍ଟିର କର୍ମକର୍ତ୍ତାଙ୍କ ସହିତ ବୁଦ୍ଧିଜିବି ମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ନିବେଦନ କରୁଛୁ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସମେତ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହସଂଯୋଜକ ରଶ୍ମି ରଂଜନ ସ୍ବାଇଁ ଓ ନବନିର୍ମାଣ ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ନିବେଦକ

ଅକ୍ଷୟ କୁମାର
ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ, ନବନିର୍ମାଣ କୃଷକ ସଂଗଠନ

You might also like