ଥ୍ରୀ-ଲାଙ୍ଗୁଏଜ୍ ପଲିସି ଉପରେ CBSEର ବଡ଼ ନିଷ୍ପତ୍ତି!

CBSEର ଥ୍ରୀ-ଲାଙ୍ଗୁଏଜ ପଲିସି ସମ୍ପର୍କରେ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନଙ୍କର ଅନେକ ପ୍ରଶ୍ନ ଥିଲା, ଯାହାକୁ ବୋର୍ଡ ଏବେ ସମାଧାନ କରିଛି।ବର୍ତ୍ତମାନର ଦଶମ ଶ୍ରେଣୀ ଏବଂ ୨୦୨୬-୨୭ ବର୍ଷର ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ କୌଣସି ପରିବର୍ତ୍ତନ ହେବ ନାହିଁ। ସେମାନେ ପୂର୍ବ ପରି ଦୁଇଟି ଭାଷା ପଢ଼ିବେ। କିନ୍ତୁ ୨୦୨୬-୨୭ ଶିକ୍ଷାବର୍ଷରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ତିନୋଟି ଭାଷା ପଢ଼ିବାକୁ ପଡ଼ିବ, ଯେଉଁଥିରୁ ଅତିକମରେ ଦୁଇଟି ଭାରତୀୟ ଭାଷା ହେବା ବାଧ୍ୟତାମୂଳକ। ଏହି ଶ୍ରେଣୀ ପାଇଁ ତୃତୀୟ ଭାଷାର ମୂଲ୍ୟାୟନ କେବଳ ସ୍କୁଲ ସ୍ତରରେ କରାଯିବ। ପୂର୍ଣ୍ଣ ମାତ୍ରାରେ ଏହି ନୀତି ୨୦୨୬-୨୭ ବର୍ଷର ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ, ଯେଉଁମାନେ ପରବର୍ତ୍ତୀ ସମୟରେ ତିନୋଟି ଯାକ ଭାଷାରେ ବୋର୍ଡ ପରୀକ୍ଷା ଦେବେ ।ସିବିଏସଇ କହିଛି ଯେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଉପରେ ହଠାତ୍ କୌଣସି ପ୍ରଭାବ ନପଡ଼େ ତାହା ନିଶ୍ଚିତ କରିବା ପାଇଁ ନୂତନ ଭାଷା ନୀତି ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ଏହାକୁ ସହଜ କରିବା ପାଇଁ, ସମ୍ପୃକ୍ତ ଗ୍ରେଡ୍ ସ୍ତର ଅନୁସାରେ ଆବଶ୍ୟକୀୟ ଅଧ୍ୟୟନ ସାମଗ୍ରୀ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଗାଇ ଦିଆଯିବ।CBSE ଏହି ନିୟମରୁ କିଛି ବର୍ଗର ଛାତ୍ରୀଛାତ୍ରଙ୍କୁ ମୁକ୍ତ କରିଛି। ଆଇନ ଅନୁଯାୟୀ ଭିନ୍ନକ୍ଷମ ଛାତ୍ରୀଛାତ୍ର (CwSN)ଙ୍କୁ ରିହାତି ମିଳିବ। ଭାରତ ବାହାରେ ଥିବା CBSE ସ୍କୁଲରେ ଛାତ୍ରୀଛାତ୍ରଙ୍କ ପାଇଁ ଭାରତୀୟ ଭାଷା ଅଧ୍ୟୟନ ବାଧ୍ୟତାମୂଳକ ହେବ ନାହିଁ । ବିଦେଶରୁ ଭାରତକୁ ଫେରୁଥିବା ବିଦେଶୀ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ତୃତୀୟ ଭାରତୀୟ ଭାଷା ଆବଶ୍ୟକତାରୁ ମୁକ୍ତ କରାଯିବ।

You might also like