ଘୂର୍ଣ୍ଣିବଳୟ ମାନେ ବାତ୍ୟା ନୁହେଁ : ISROର ଆକଳନ ଏକ ବୈଜ୍ଞାନିକ ଋତୁକାଳୀନ ସତର୍କ ସୂଚନା- ସୁରେନ୍ଦ୍ରନାଥ ପଶୁପାଳକ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷ ଆକଳନ କରିଛି ଯେ, ଅକ୍ଟୋବରରୁ ଡିସେମ୍ବର ୨୦୨୬ ମଧ୍ୟରେ ଉତ୍ତର ଭାରତ ମହାସାଗରରେ ପ୍ରାୟ ୩ଟି ବାତ୍ୟା ସୃଷ୍ଟି ହୋଇପାରେ । ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବା ସହ ସାଧାରଣରେ ଭୟ ସୃଷ୍ଟି ହୋଇଛି । ମାତ୍ର ଏହାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ସେ ଦର୍ଶାଇଛନ୍ତି, “Cyclonic Circulation” ବା ଘୂର୍ଣ୍ଣିବଳୟ ମୌସୁମୀ ସମୟରେ ଏକ ସାଧାରଣ ପାଣିପାଗ ବ୍ୟବସ୍ଥା । ଏହା ବର୍ଷା ବଢ଼ାଇପାରେ, କିନ୍ତୁ ପ୍ରତ୍ୟେକ ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହୁଏନାହିଁ । ସେହିପରି “Cyclogenesis” ଶବ୍ଦର ଅର୍ଥ ଘୂର୍ଣ୍ଣି ବ୍ୟବସ୍ଥାର ସୃଷ୍ଟି ବା ବିକାଶ; ଏହାର ଅର୍ଥ ବାତ୍ୟା ସୃଷ୍ଟି ହୋଇସାରିଛି ନୁହେଁ । ପ୍ରଫେସର ପଶୁପାଳକ କହିଛନ୍ତି, PDI ବା Power Dissipation Index ଗୋଟିଏ ଋତୁରେ ବାତ୍ୟା କ୍ରିୟାଶୀଳତାର ସାମଗ୍ରିକ ମାପ । ଏଥିରେ ବାତ୍ୟା କେତେ ଶକ୍ତିଶାଳୀ, କେତେ ସମୟ ରହିଲା ଏବଂ କେତୋଟି ବାତ୍ୟା ହେଲା—ଏସବୁର ପ୍ରଭାବ ରହିଥାଏ ।
୨୦୨୬ ପାଇଁ PDI ସାଧାରଣଠାରୁ ଅଧିକ ଆକଳନ ହେବାର ଅର୍ଥ ପ୍ରତ୍ୟେକ ବାତ୍ୟା ଅଧିକ ଶକ୍ତିଶାଳୀ ହେବ କିମ୍ବା ଓଡ଼ିଶାରେ ସେହି ଅନୁପାତରେ ଅଧିକ କ୍ଷତି ହେବ—ତାହା ନୁହେଁ । ଏହି ଋତୁକାଳୀନ ଆକଳନ ଏବେଠାରୁ ଧାନ କାଟିବା, ଫସଲ ବଦଳାଇବା କିମ୍ବା ଅନ୍ୟ କୃଷି ନିଷ୍ପତ୍ତି ନେବାର ଆଧାର ନୁହେଁ । ଏହାକୁ ବରଂ ଆଗୁଆ ସତର୍କ ସଙ୍କେତ ଭାବେ ନିଆଯାଇପାରେ ।ସୂଚନାମୁତାବକ ଚଳିତବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଭାରତର ଉପକୂଳ ଅଞ୍ଚଳ ପାଇଁ ବଡ଼ ସାମୁଦ୍ରିକ ବିପଦ ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋର) ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର୍ର ଆକଳନ ଅନୁଯାୟୀ ବର୍ଷର ଶେଷ ତିନି ମାସ ମଧ୍ୟରେ ଉତ୍ତର ଭାରତ ମହାସାଗର ଅର୍ଥାତ୍ ଆରବ ସାଗର ଓ ବଙ୍ଗୋପସାଗରରେ ବଡ଼ଧରଣର ତିନିଟି ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ସମୟ ମଧ୍ୟରେ ଆରବ ସାଗର ଓ ବଙ୍ଗୋପସାଗରରେ ତିନିଟି ଗ୍ରୀଷ୍ମମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଶକ୍ତିଶାଳୀ ବାତ୍ୟାର ରୂପ ନେବ। ଏପରିକି, ବାତ୍ୟାଗୁଡ଼ିକ ଏତେ ଶକ୍ତିଶାଳୀ ହେବ ଯେ ଗତ ୪୪ ବର୍ଷ ମଧ୍ୟରେ ଏତେ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହୋଇନାହିଁ। ଏହି ବାତ୍ୟାଗୁଡ଼ିକର ପ୍ରଭାବ ସ୍ବାଭାବିକଠାରୁ ୮୩% ଅଧିକ ରହିବ। ଏହି ସବୁ ବାତ୍ୟାକୁ ଏକ ଅସ୍ବାଭାବିକ ସାମୁଦ୍ରିକ ଝଡ଼ ବୋଲି ବିବେଚନା କରାଯାଇଛି।