ଓ୍ବାଟକୋର ବଡ଼ ସଫଳତା: ସମସ୍ତ ୨୯ ସହରାଞ୍ଚଳରେ ୧୦୦% ଜଳ ଯୋଗାଣ ସୁନିଶ୍ଚିତ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଓଡ଼ିଶା ଜଳ ନିଗମ (WATCO) ସହରାଞ୍ଚଳ ନାଗରିକ ସେବା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଞ୍ଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ଏହି ସଫଳତା ସହ ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରିଛି।୨୦୨୬ ମାର୍ଚ୍ଚ ସୁଦ୍ଧା ଓ୍ବାଟକୋ ପ୍ରାୟ ୭,୬୩,୦୮୨ଟି ଘରୋଇ ସଂଯୋଗ ମାଧ୍ୟମରେ ୪.୯୧ ନିୟୁତରୁ ଅଧିକ ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍” ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ ୧୧ଟି ସହରାଞ୍ଚଳରେ ୨୪x୭ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଚାଲିଥିବାବେଳେ, ଅନ୍ୟ ୧୭ଟି ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଜୋରଦାର ଭାବେ ଅଗ୍ରସର ହେଉଛି।ଆଗାମୀ ପର୍ଯ୍ୟାୟରେ ଓ୍ବାଟକୋ ୬,୧୨୯ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୃହତ୍ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି। ସେଥିରେ ସମ୍ବଲପୁର ପାଇଁ ୧,୬୮୨ କୋଟି ଟଙ୍କା ଓ ବାରିପଦା ପାଇଁ ୮୩୦.୯୭ କୋଟି ଟଙ୍କାର ସ୍ୱେରେଜ୍ ପ୍ରକଳ୍ପ ବିଶେଷ ଗୁରୁତ୍ୱ ବହନ କରୁଛି।ଡିଜିଟାଲ୍ ଓ ସ୍ମାର୍ଟ ଜଳ ପରିଚାଳନାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା ଓ ବ୍ରହ୍ମପୁରରେ ୫୦ ହଜାର ସ୍ମାର୍ଟ ୱାଟର ମିଟର ସ୍ଥାପନ କାର୍ଯ୍ୟ ଚାଲିଛି। ଏହାଦ୍ୱାରା ବିଲିଂ ବ୍ୟବସ୍ଥା, ଜଳ ବ୍ୟବହାର ନିରୀକ୍ଷଣ ଓ ସମ୍ବଳ ପରିଚାଳନାରେ ଆଧୁନିକତା ଆସିବ।ଜଳର ଗୁଣବତ୍ତା ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଓ୍ବାଟକୋ ରାଜ୍ୟରେ ୧୪ଟି ଆଧୁନିକ ପରୀକ୍ଷାଗାର ପରିଚାଳନା କରୁଛି। ଏହା ସହ ଆଇଆଇଟି ଭୁବନେଶ୍ୱର ସହ ବୈଷୟିକ ସହଯୋଗ ମାଧ୍ୟମରେ ଜଳ ପରିଚାଳନାରେ ନୂତନ ପ୍ରଯୁକ୍ତିର ପ୍ରୟୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

You might also like