ଓଡ଼ିଶାର ୭୦୭ ଦୁର୍ଗମ ଗାଁରେ ଲାଗିବ ୪ଜି ଟାୱାର
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି।ଡିଜିଟାଲ ଭାରତ ନିଧି ଅନୁଦାନପ୍ରାପ୍ତ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ନୂଆ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ କରାଯିବ । ଆବଶ୍ୟକ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳମାନଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଶାସନ ସଚିବ ବିଶାଳ କୁମାର ଦେବ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ତେବେ ପ୍ରତ୍ୟେକ ସ୍ଥାନରେ ପ୍ରାୟ ୨,୦୦୦ ବର୍ଗଫୁଟ ସରକାରୀ ଜମିର ଅଗ୍ରୀମ ଦଖଲ ବିଏସଏନଏଲକୁ ଦେବା ସହ ‘ନୋ ଅବଜେକ୍ସନ ସର୍ଟିଫିକେଟ୍’ (NOC) ଜାରି କରିବାକୁ କୁହାଯାଇଛି। ଏହାଦ୍ୱାରା ଟାୱାର ସ୍ଥାପନ କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇପାରିବ। ଏହି ପଦକ୍ଷେପର ପଛରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହସ୍ତକ୍ଷେପ ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୩ହଜାର ୬୦୨ଟି ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ୬୮୩ଟି ଟାୱାରର ନିର୍ମାଣ କାମ ଚାଲିଛି । ବର୍ତ୍ତମାନ ୮୯୪ଟି ନୂଆ ସ୍ଥାନ ପାଇଁ ମଞ୍ଜୁରି ମିଳିଥିବାବେଳେ ୭୦୭ଟି ସ୍ଥାନରେ ଜମି ବଣ୍ଟନ ଅପେକ୍ଷାରେ ରହିଛି । ଏହି ପ୍ରକଳ୍ପ ସଫଳ ହେଲେ ରାଜ୍ୟର ହଜାର ହଜାର ଗ୍ରାମବାସୀ ପ୍ରଥମ ଥର ପାଇଁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ୍ ସେବାର ସୁବିଧା ପାଇବେ । ଏହାଦ୍ୱାରା ଅନଲାଇନ୍ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ ବ୍ୟାଙ୍କିଂ, ଇ-ଗଭର୍ନାନ୍ସ ସେବା ଏବଂ ଜରୁରୀକାଳୀନ ସଂଯୋଗ ବ୍ୟବସ୍ଥା ଅଧିକ ସୁଲଭ ହେବ।