ଏ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଆଦୌ ମିଳିବନି ରନ୍ଧା ଖାଦ୍ୟ
ଭୁବନେଶ୍ୱର (ରାଜ୍ୟ କାହାଣୀ )ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନଗର ଉନ୍ନୟନ ବିଭାଗ ପାଇଁ ଅନେକ ଆହ୍ୱାନ ରହିଥାଏ। ପୁରୀ ମହାନଗର ନିଗମ ବହୁ ପୂର୍ବରୁ ଚଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ରଥଯାତ୍ରାରେ ବଡଦାଣ୍ଡରେ ଆଦୌ ରନ୍ଧା ଖାଦ୍ୟ ଦିଆଯିବ ନାହିଁ। ଶୁଖିଲା ଖାଦ୍ୟ ବଣ୍ଟା ଯାଇ ପାରିବ। ଯାହା ଫଳରେ ପରିବେଶ ଅସ୍ବଛ ରହିବ ନାହିଁ । ବିଭିନ୍ନ ସାଇନଏଜ ବା ସୂଚନା ଫଳକ ଲଗାଯାଇ ଖାଦ୍ୟ, ପାନୀୟ, ଚିକିତ୍ସା ଇତ୍ୟାଦି ସମ୍ପର୍କରେ ଲୋକଙ୍କୁ ସୂଚିତ କରାଯିବ ବୋଲି ସ୍ଥିର ହୋଇଛି ।ଶୁକ୍ରବାର ପୁରୀ ସର୍କିଟ ହାଉସ୍ଠାରେ ନଗର ଉନ୍ନୟନ ବିଭାଗର ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନା ନେଇ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ପ୍ରଶାସନିକ ସୂଚନା ମୁତାବକ, ସହରର ସମସ୍ତ ନଳାକୁ ସଫା କରାଯାଇଛି । ବଡ଼ଦାଣ୍ଡର ଉଭୟ ପାଶ୍ୱର୍ ଡ୍ରେନ୍ ଗୁଡ଼ିକ ଜାଗୃତି ୱେଲଫେୟାର ସଂସ୍ଥା ଦ୍ୱାରା ସଫା କରାଯାଇଛି । ୨୪ଟି ପାର୍କିଂ ସ୍ଥଳ ପାଇଁ ବ୍ୟବସ୍ଥା କରାଯାଇଛି । ସହରର ସମସ୍ତ ସାହି, ଗଳି ରାସ୍ତା ମରାମତି କାମ ଓ ଛୋଟ ଗାତ ମରାମତି କାମ ସମ୍ପୂର୍ଣ୍ଣ ହୋଇଛି । ବୁଲାଗୋରୁଙ୍କୁ ନିୟନ୍ତ୍ରଣ କରିବା ପାଇଁ କାଞ୍ଜିଆହୁଦାର ବ୍ୟବସ୍ଥା କରାଯାଇଛି । ବର୍ଷାକୁ ଆଖି ଆଗରେ ରଖି ୩୦ଟି ଖାଲୁଆ ଅଞ୍ଚଳରୁ ଜଳ ନିଷ୍କାସନ କରିବା ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସରିଛି । ଏହି ସ୍ଥାନମାନଙ୍କରେ ଉଚ୍ଚ ଶକ୍ତି ସଂପନ୍ନ ପମ୍ପ ସେଟ୍ ରଖାଯାଇଛି ।