ଏଲ୍-ନିନୋ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର (ରାଜ୍ୟକାହାଣୀ )ଆସୁଛି ଏଲ୍ ନିନୋ । ଏହାର ପ୍ରଭାବରେ ସାରା ଦେଶରେ ବର୍ଷାର ପରିମାଣ କମ୍ ରହିବ । ଫଳରେ ଖରିଫ୍ ଋତୁରେ ଚାଷୀ ଓ ଚାଷ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କିଛିମାସ ହେବ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ପ୍ରସ୍ତୁତି ସମୀକ୍ଷା ବୈଠକର ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ କୃଷିମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରିର ୯୨% ରହିବ ବୋଲି ପୂର୍ବାନୁମାନ କରିଥିବାରୁ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଆଦି ୮ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ରାଜ୍ୟ ପ୍ରଶାସନ ପକ୍ଷରୁ ବିଳମ୍ବରେ ରୁଆ, ଆର୍ଦ୍ରତାର ଅଭାବ, ଜଳଭଣ୍ଡାରରେ ଜଳସ୍ତର ହ୍ରାସ ଏବଂ ରୋଗପୋକ ସଂକ୍ରମଣ ଭଳି ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ପାଇଁ ସଜାଗ ରହିଛି।

କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ୫୭.୮୮ ଲକ୍ଷ ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରିଛି। ଏଥିପାଇଁ ସବସିଡ଼ି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ ୧୪,୩୫୦ କ୍ୱିଣ୍ଟାଲ (୭,୫୦୦ କ୍ୱିଣ୍ଟାଲ ଧାନ ଏବଂ ୬,୮୫୦ କ୍ୱିଣ୍ଟାଲ ଅଣ-ଧାନ ବିହନ)ର ଏକ ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏହାଛଡ଼ା, ଚାଷୀମାନଙ୍କୁ ସାର ଯୋଗାଇବା ପାଇଁ ୧୧.୪୨ ଲକ୍ଷ ମେଟ୍ରିକ ଟନ୍ ଚାହିଦା ବିପକ୍ଷରେ ୬.୪୦ ଲକ୍ଷ ମେଟ୍ରିକ ଟନ୍ ସାର ଉପଲବ୍ଧ କରାଯାଇଛି।କୃଷି କ୍ଷେତ୍ରରେ ସ୍ଥିରତା ଏବଂ ଚାଷୀଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ସରକାର ପ୍ରଯୁକ୍ତିବିଦ୍ୟା ଓ ସାମୁଦାୟିକ ସହଭାଗିତାକୁ ବ୍ୟବହାର କରୁଛନ୍ତି। ‘କୃଷି ସମୃଦ୍ଧି ହେଲ୍‌ପଲାଇନ୍‌’ର IVRS ବ୍ୟବସ୍ଥା ମାଧ୍ୟମରେ ଚାଷୀଙ୍କୁ ସମୟାନୁସାରେ ପାଣିପାଗ ସମ୍ବନ୍ଧୀୟ ପରାମର୍ଶ ଦିଆଯାଉଛି। ଏଥିସହିତ, ରାସାୟନିକ ସାର ଉପରେ ନିର୍ଭରଶୀଳତା କମାଇବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ ‘ଖେତ ବଞ୍ଚାଅ ଅଭିଯାନ’ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି।ବୈଠକ ପରେ ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓ କହିଛନ୍ତି କି, ଏଲ୍ ନିନୋର ମୁକାବିଲା ପାଇଁ ରାଜ୍ୟ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି । ୨୦୨୬ ଖରିଫ୍ ଚାଷ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

You might also like