ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତର ବଡ଼ କ୍ଷତି!

ଇରାନ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପୁଜିଥିବା ପରିସ୍ଥିତିରେ ଏବେ ଭାରତୀୟ ଲୋକେ ସିଧାସଳଖ ପ୍ରଭାବିତ ହେବେ। ଇରାନରୁ ଭାରତର ସର୍ୱାଧିକ ଆମଦାନୀ ହେଉଛି ଅଶୋଧିତ ତେଲ। ଭାରତ ଇରାନରୁ ପିସ୍ତା ଏବଂ ଖଜୁର ଭଳି ଶୁଖିଲା ଫଳ, କିଛି ରାସାୟନିକ ପଦାର୍ଥ, ପେଟ୍ରୋକେମିକାଲ ଉତ୍ପାଦ ଏବଂ କାଚପାତ୍ର ମଧ୍ୟ ଆମଦାନୀ କରେ। ପାଖାପାଖି ୯ ନିୟୁତ ଭାରତୀୟ ଉପସାଗରୀୟ ଦେଶ ( ସାଉଦୀ ଆରବ, ୟୁଏଇ ଓ କତାର ଆଦି ଦେଶ) ମାନଙ୍କରେ କାମ କରନ୍ତି ଓ ବାର୍ଷିକ କୋଟିକୋଟି ଟଙ୍କା ବିଦେଶୀ ମୁଦ୍ରା (ରେମିଟାନ୍ସ) ଭାରତକୁ ପଠାଇଥାନ୍ତି। ଯୁଦ୍ଧ ଯୋଗୁ ସେମାନଙ୍କ ଚାକିରୀ ବୃତ୍ତି ବିପଦରେ ପଡିବ। ଏଣୁ ଭାରତ ସରକାରଙ୍କୁ ଏକ ବଡ଼ଧରଣର ଇଭାକ୍ୟୁଏସନ ମିସନ ହାତକୁ ନେବାକୁ ପଡିପାରେ। ଏହା ଛଡା ଯୁକ୍ତରାଷ୍ଟ୍ର ଓ ଇସ୍ରାଏଲ ଭାରତର ରଣନୈତିକ ଭାଗିଦାରୀ ହେଲେ ଇରାନ ସହ ଭାରତର ଐତିହାସିକ ଓ ଶକ୍ତି ସମ୍ପର୍କ ବି ରହିଛି। ଏଣୁ ଯୁଦ୍ଧରେ କୌଣସି ପକ୍ଷ ନନେବା ଭାରତର ସନ୍ତୁଳିତ ଛବିକୁ କ୍ଷତିଗ୍ରସ୍ତ କରିପାରେ।ଆନ୍ତର୍ଜାତୀୟ କୂଟନୀତିର ଜଟିଳତା ବାହାରେ, ଏହି ଦୁଇ ଦେଶର ପ୍ରକୃତ ଶକ୍ତି ସେମାନଙ୍କର ଐତିହାସିକ ସମ୍ପର୍କ ମଧ୍ୟରେ ରହିଛି। ଭାରତର ପ୍ରାଚୀନ ସାହିତ୍ୟ ଏବଂ ପ୍ରଶାସନିକ ଅଭ୍ୟାସ ଉପରେ ପାର୍ସୀ ଭାଷାର ଗଭୀର ପ୍ରଭାବ ରହିଛି। ଭାରତୀୟ ଉପମହାଦେଶରେ ସୁଫିବାଦର ପ୍ରସାର ପାଇଁ ଇରାନ ମୁଖ୍ୟତଃ ଦାୟୀ। ଇତିହାସ ସାକ୍ଷୀ ଅଛି ଯେ ଅନେକ ମହାନ ସୁଫି ସନ୍ଥ ଇରାନରୁ ଭାରତ ଯାତ୍ରା କରିଥିଲେ।ଏବେ ସାରା ବିଶ୍ୱର ନଜର ମଧ୍ୟପ୍ରାଚ୍ୟ ଉପରେ ରହିଛି। ଏଣୁ ପାକ୍ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବା ଓ ରାଜ୍ୟକୁ ଅସ୍ଥିର କରିବାକୁ ଉଦ୍ୟମ କରିପାରନ୍ତି। ଏଥି ପାଇଁ ଭାରତକୁ ନିଜର ସୀମା ସତର୍କତା ଓ ଡିଫେନ୍ସ ବଜେଟ ଉଭୟ ବଢାଇବାକୁ ପଡିବ।

You might also like