ସଜେଇ ହେଲାଣି ବିଜେଡି କାର୍ଯ୍ୟାଳୟ ! ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବେ
ଭୁବନେଶ୍ୱର (ରାଜ୍ୟକାହାଣୀ )ଶଙ୍ଖ ଧରିବେ କି ସୁଜାତା ରାଉତ କାର୍ତ୍ତିକେୟନ ? ଓଡ଼ିଶା ରାଜନୀତିରୁ ସାମ୍ନାକୁ ଆସୁଛି ବଡ଼ ଖବର । ବିଜେଡିରେ ସାମିଲ ହୋଇ ପାରନ୍ତି ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହେବାକୁ ଯାଉଛନ୍ତି । ତେବେ କୌଣସି ବଡ଼ ପଦବୀ ନୁହେଁ, ବରଂ ଜଣେ ସାଧାରଣ କର୍ମୀ ଭାବେ ସେ ଦଳରେ ନିଜର ରାଜନୈତିକ ପାଳି ଆରମ୍ଭ କରିବେ ବୋଲି ଜଣାପଡ଼ିଛି । କିନ୍ତୁ କିଛି ଦାୟିତ୍ୱ ମିଳିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହି ସାମିଲ ପ୍ରକ୍ରିୟା ପୂର୍ବରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଅଦ୍ଭୁତପୂର୍ବ ତତ୍ପରତା ଦେଖିବାକୁ ମିଳିଛି । ବିଜେଡିର ଅନେକ ବରିଷ୍ଠ ତଥା ଶୀର୍ଷ ନେତା ଆଜି ସୁଜାତା କାର୍ତ୍ତିକେୟନଙ୍କୁ ସାକ୍ଷାତ କରିଛନ୍ତି । ବିଶେଷ କରି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏବଂ ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ହେଭିୱେଟ୍ ନେତାମାନେ ସୁଜାତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହାସହ ଦଳର ଏକାଧିକ ବଡ଼ ନେତା ଆଜି ନବୀନ ନିବାସ ଯାଇ ଆଞ୍ଚଳିକ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିଛନ୍ତି ।ସୂଚନାଯୋଗ୍ୟ, ୨୦୦୦ ବ୍ୟାଚ୍ IAS ଅଫିସର ସୁଜାତା କାର୍ତ୍ତିକେୟନ । ପ୍ରାରମ୍ଭିକ ଭାବେ ତାଙ୍କ ଜୀବନ ଜାମସେଦପୁରରେ କଟିଥିଲା । ସେଠାରେ ତାଙ୍କ ବାପା ଜଣେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମୟରେ ସୁଜାତାଙ୍କ IAS କ୍ୟାରିୟର ଆରମ୍ଭ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର-ସହ-ସଚିବ ଭାବେ କାର୍ଯ୍ୟ କରିଥିଲେ, ଯାହା ମହିଳା ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୦୧ରେ ଆରମ୍ଭ ହୋଇଥିଲା । ୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ପ୍ରଥମେ ଛଅ ମାସର ଛୁଟିରେ ଥିଲେ । ନଭେମ୍ବର ୨୬, ୨୦୨୪ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା, କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ବିଜେପି ସରକାର ଅନୁମତି ଦେଇ ନଥିଲେ । ଯାହାପରେ ସେ IAS ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ ।