ଆଜି ବିଶ୍ୱ ସିଂହ ଦିବସ: ପରିବେଶ ସନ୍ତୁଳନ ବଜାୟ ରଖେ ସିଂହ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜି ବିଶ୍ୱ ସିଂହ ଦିବସ । ସିଂହ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ସିଂହ ଦିବସରେ ସଚେତନତା ସୃଷ୍ଟି କରାଯାଇଥାଏ । ଏବେ ସେମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଏଥିପାଇଁ ୧୦ ଅଗଷ୍ଟ ୨୦୧୩ ମସିହାଠାରୁ ବିଶ୍ୱ ସିଂହ ଦିବସ ପାଳନ କରାଯାଇଆସୁଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ସିଂହଙ୍କ ସଂଖ୍ୟା କମି ପୃଥିବୀରେ ୩୦ ହଜାରରୁ ୨୦ ହଜାର ମଧ୍ୟରେ ରହିଛି। ଆଫ୍ରିକାର ୨୭ଟି ଦେଶ ଏବଂ ଏସିଆର ଭାରତରେ ସିଂହ ଦେଖାଯାଆନ୍ତି। ସେଥିମଧ୍ୟରୁ ୭ଟି ଦେଶରେ ହଜାରରୁ ଅଧିକ ସିଂହ ରହିଛନ୍ତି। ୨୦୨୦ ରିପୋର୍ଟ ଅନୁସାରେ ତାଞ୍ଜାନିଆରେ ୧୫ ହଜାର, ଦକ୍ଷିଣ ଆଫ୍ରିକାରେ ସିଂହଙ୍କ ସଂଖ୍ୟା ୩,୫୦୦ ଥିଲା। ଭାରତରେ ସେହି ସମୟରେ ସିଂହଙ୍କ ସଂଖ୍ୟା ଥିଲା ୬୭୪। ଅବଶ୍ୟ ୨୦୧୫ରେ ଏଠାରେ ୫୨୩ ସିଂହ ଥିଲେ। ତେବେ ଆମ ଦେଶରେ ଦେଖାଯାଉଥିବା ଏସିଆଟିକ୍‌ ସିଂହକୁ ଅନ୍ତର୍ଜାତୀୟ ୟୁନିଅନ ଫର କନ୍‌ଜରଭେଶନ ଅଫ ନେଚର, ରେଡ ତାଲିକାଭୁକ୍ତ କରିଛି। ଆମ ଦେଶରେ କେବଳ ଗୁଜରାଟର ଗିର୍‌ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ସିଂହ ଦେଖିବାକୁ ମିଳିଥାନ୍ତି। ତେବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକୀୟ ସିଂହଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେଠାରେ ଏବେ ଚିତା ବାଘକୁ ଆଣି ରଖାଯାଇଛି। ୭୦ ଦଶକରେ ଗୁଜୁରାଟ ଓ ଆଫ୍ରିକାରୁ ଅଣାଯାଇଥିବା କିଛି ସିଂହଙ୍କୁ ନେଇ ଓଡ଼ିଶାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ‌ରେ ସିଂହ ଖୁଆଡ଼ ଉଦ୍‌ଘାଟନ ହୋଇଥିଲା। ବଂଶବୃଦ୍ଧି ପାଇଁ ନନ୍ଦନକାନନର ପରିବେଶ କେତେ ଫଳପ୍ରଦ ହେବ, ସେନେଇ ସେତେବେଳେ ସଂଶୟ ଥିଲା। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ୧୯୮୫ ମସିହା ବେଳକୁ ନନ୍ଦନକାନନରେ ସିଂହ ସଂଖ୍ୟା ୫୬ରେ ପହଞ୍ଚିଯାଇଥିଲା। ଭିନ୍ନ ଜଳବାୟୁରୁ ଆସିଥିବା ଗୁଜୁରାଟ ଗିର୍‌ ଜଙ୍ଗଲର ସିଂହ ଓ ଆଫ୍ରିକୀୟ ସିଂହଙ୍କ ମିଳନରୁ ଏଭଳି ବଂଶବୃଦ୍ଧି ହେବା ସେତେବେଳେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦେଶର ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା।

ତେଣୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏଠାରେ ଏକ ସିଂହ ସଫାରି କରିବାକୁ ପ୍ରସ୍ତାବ ଦେଇଥିଲେ। ୧୯୮୫ ମସିହାରେ ଏହି ସିଂହ ସଫାରି ତାଙ୍କ ହାତରେ ଉଦ୍‌ଘାଟିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏତେ ସଂଖ୍ୟକ ସିଂହଙ୍କୁ ନେଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଥିଲେ। ନନ୍ଦନକାନନର ସୀମା ସରହଦକୁ ନେଇ ଚିନ୍ତା ବଢ଼ିଥିଲା। ତେଣୁ କିଛି କାଳ ପାଇଁ ସିଂହ ବଂଶ ବୃଦ୍ଧିରେ ରୋକ୍‌ ଲଗାଇବାକୁ ଯୋଜନା କରାଗଲା। ଅଣ୍ଡିରା ସିଂହଙ୍କୁ ଅସ୍ତ୍ରୋପଚାର କରାଗଲା ଓ ମାଈସିଂହଙ୍କୁ କୃତ୍ରିମ ଉପାୟରେ ବନ୍ଧ୍ୟାକରଣ କରିବାକୁ ନିର୍ଦ୍ଦେଶ ଦିଆଗଲା। ସେହିଭଳି ସେମାନଙ୍କୁ ଅଲଗା ଅଲଗା ରଖି ମିଳନ ଉପରେ ରୋକ୍‌ ଲଗାଇବାକୁ କୁହାଗଲା। ଫଳରେ ହଠାତ୍ ନନ୍ଦନକାନନରେ ସିଂହ ପ୍ରଜନନ ଠପ୍ ହୋଇଗଲା। ଏହା ଭିତରେ କିଛି ସିଂହ ସାପ କାମୁଡ଼ାରେ ମରିଯାଇଥିବା ବେଳେ କିଛି ସିଂହ ବୃଦ୍ଧାବସ୍ଥାରେ ପହଞ୍ଚି ମରିଥିଲେ। ତେଣୁ ଧୀରେଧୀରେ ସିଂହ ସଂଖ୍ୟା କମିକମି ଗଲା। ପରିସ୍ଥିତି ଏମିତି ହେଲା ଯେ ୨୦୦୩ ମସିହା ବେଳକୁ ନନ୍ଦନକାନନର ସିଂହ ସଂଖ୍ୟା ୨୦ ତଳକୁ ଖସିଆସିଲା।
ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ଗତବର୍ଷ ତୁଳନାରେ ମାତ୍ର ଗୋଟିଏ ବଢ଼ିଛି । ଗତବର୍ଷର ୨୨ରୁ ଏହି ସଂଖ୍ୟା ଚଳିତ ବର୍ଷ ୨୩ରେ ପହଞ୍ଚିଛି । ସେଥିରୁ ୧୭ଟି ଏସିଆଟିକ୍ ଓ ୬ଟି ହାଇବ୍ରିଡ଼ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ବଂଶ ବୃଦ୍ଧି ପାଇଁ ୨୦୨୦ରେ ପ୍ରୟାସ ଆରମ୍ଭ ହୋଇଥିଲା । ସେ ସମୟରେ ୧୦ଟି ସିଂହ ଓ ସିଂହୀ ଥିଲେ । ବିଳାସପୁର ଚିଡ଼ିଆଖାନାରୁ ୨୦୨୦ ମାର୍ଚ୍ଚ ୧୭ରେ ୪ଟି(ବସନ୍ତ, ସମ୍ରାଟ, ଜୟ, ଶରତ) ସିଂହ ଅଣାଯାଇଥିଲା । ପୁଣି ସେହିବର୍ଷ ୨୦ ଡିସେମ୍ବରରେ କମଳାନେହେରୁ ପ୍ରାଣୀ ଉଦ୍ୟାନ ଇନ୍ଦୋରରୁ ୨ଟି(ବିଜିଲି ଓ ରେୱା) ସିଂହୀ ଆସିଥିଲେ । ସିଂହୀ ବିଜଲୀ ଓ ସିଂହ ସମ୍ରାଟ ମିଳନରେ ବିଜଲୀ ୪ ଥରରେ ୧୩ଟି ଶାବକ ଜନ୍ମ ଦେଇଥିଲା । ସେହିପରି ସିଂହୀ “ରେୱା’ ସହିତ ସିଂହ “ଜିତ୍’ର ମିଳନରେ ରେୱା ୩ ଥରରେ ୮ଟି ଶାବକ ଜନ୍ମ ଦେଇଛି । ଏଥି ମଧ୍ୟରୁ କିଛି ଶାବକଙ୍କର ମୃତ୍ୟୁ ହୋଇଥିଲା । କିଛି ଅଦଳ ବଦଳ ପ୍ରକ୍ରିୟରେ ଅନ୍ୟ ଚିଡ଼ିଆଖାନାକୁ ଦିଆଯାଇଛି ।

You might also like