ଆଜି ଗୀତାଙ୍କୁ ଅନ୍ତିମ ବିଦାୟ
ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି ।ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ହାର ମାନିଗଲେ ଡାକ୍ତର । ଗତ ଗୁରୁବାର ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷାରୁ ମସ୍ତିସ୍କାଘାତ ହୋଇଥିବା ଜଣା ପଡ଼ିବା ପରେ ସେହି ଅନୁସାରେ ଚିକିତ୍ସା ଚାଲିଥିଲା । ତେବେ ତାଙ୍କୁ ଆଉ ବଞ୍ଚାଇ ହେଲା ନାହିଁ । ତାଙ୍କ ପାର୍ଥିବ ଶରୀର ଉକ୍ତ ଘରୋଇ ହାସପାତାଳରୁ ଆଜି କାଫଲା ବଜାରସ୍ଥିତ ବାସଭବନକୁ ଯିବ ଏବଂ ସତୀଚଉରାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।୧୯୫୪ ମସିହା ଡିସେମ୍ବର ୧୦ ତାରିଖରେ ଜନ୍ମ ଗୀତାଙ୍କର । ପ୍ରଥମେ ରେଡ଼ିଓରୁ ଲତା ମଙ୍ଗେସକରଙ୍କ ଗୀତ ଶୁଣି ନିଜେ ନିଜେ ଗାଇବାକୁ ଚେଷ୍ଟା କରିଥିଲେ । ୧୯୭୫ ମସିହାରେ କଟକ କଳା ବିକାଶ କେନ୍ଦ୍ରରେ ଯୋଗ ଦେଇ ସଙ୍ଗୀତ ଶିକ୍ଷା ନେଇଥିଲେ । ତାଙ୍କର ପ୍ରଥମ ଗୁରୁ ଥିଲେ ରଘୁନନ୍ଦ ଆଉ ତାପରେ ରାଖାଲ ଚନ୍ଦ୍ର ମହାନ୍ତି ଓ ବାଳକୃଷ୍ଣ ଦାସଙ୍କ ଠାରୁ ସେ ସଂଗୀତ ଶିଖିଥିଲେ । କଳା ବିକାଶ କେନ୍ଦ୍ରରେ ୬ ବର୍ଷ ଶିକ୍ଷା ଗ୍ରହଣ କରି ସେଠାରୁ ସଙ୍ଗୀତ ଭୂଷଣ ପାସ୍ କରିଥିଲେ । ..୧୯୭୧ ମସିହାରେ ଆକାଶବାଣୀର ଜଣେ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ । ଆକାଶବାଣୀରେ ତାଙ୍କର ପ୍ରଥମ ଗୀତ ଥିଲା ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ…। ଏହା ପରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଗୀତ ଗାଇଥିଲେ ବିଜେନ ବଜାଏ ବେଣୁ… । ଯାହା ବେଶ୍ ଲୋପ୍ରିୟ ହୋଇଥିଲା । ପରେ ପରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନେକ ଗୀତ ଗାଇଥିଲେ ଗୀତା ।ଗୋଟିଏ ପରେ ଗୋଟିଏ ଗୀତ ଜନମାନସକୁ ଛୁଇଁଲା। ଲୋକେ ଚାହିଁଲେ, ଗୀତର ସୁଅ ବି ଛୁଟିଲା। ମନ ମୋର ପଦ୍ମପତ୍ର, ଡଙ୍ଗାରେ ବସିଗଲେ ଦୁଇଭାଇ ଗଙ୍ଗା ଆହା, ଏଇ ରୁମ୍ଝୁମ୍ ବରଷା, ଭୁଲିବନି କହିଦେବା ଭାରି ସହଜ, ମେଘ ଯାଆ ଭାସି ଯାଆରେ, ତମେ କେବେ ବର୍ଷାହେଇ ମତେ ଦିଅ ଭିଜାଇ, ସବୁ ଦୀପ ଲିଭିଯିବା ପରେ.. ଏମିତି ଅନେକ ଗୀତରେ ଗୀତା ପଟ୍ଟନାୟକ ଚିରସବୁଜ।