ଭୁବନେଶ୍ବର(ରାଜ୍ୟକାହାଣୀ) : ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ଦାନା ଏବେ ଉପକୂଳ ମୁହାଁ ହୋଇଛି। ଏହା ଆହୁରି ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବେ ଆଜି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ମଧ୍ୟରାତ୍ରୀରୁ ଆସନ୍ତାକାଲି ପୂର୍ବାହ୍ନ ଭିତରେ ବାତ୍ୟା ଲ୍ୟାଣ୍ଡଫଲ କରିବ। ପୁରୀରୁ ସାଗରଦୀପ ମଝିସ୍ଥଳ ଅର୍ଥାତ ଭିତରକନିକା ଓ ଧାମରା ନିକଟରେ ହିଁ ସ୍ଥଳଭାଗ ପାର୍ କରିବ ବାତ୍ୟା । ଲ୍ୟାଣ୍ଡଫଲ ସମୟରେ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ । ଲ୍ୟାଣ୍ଡଫଲ ସମୟରେ ପ୍ରାୟ ୫ ଘଣ୍ଟା ଧରି ବାତ୍ୟାର ପ୍ରଭାବ ଜାରି ରହିବ। ପାରାଦୀପ ଠାରୁ ବର୍ତ୍ତମାନ ଏହି ବାତ୍ୟା ୩୩୦ କିଲୋମିଟର ଦୂରରେ ରହିଛି। ଧାମରା ଠାରୁ ୩00 କିମି ଦୂରରେ ରହିଛି। ବାତ୍ୟା ପ୍ରଭାବରେ ଗତକାଲିଠାରୁ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଆଜିଠୁ ବର୍ଷାର ପରିମାଣ ବଢିବ।
ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଆଜି ସକାଳୁ ବର୍ଷା ଅନୁଭୂତ ହେଉଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ସାଇକ୍ଲୋନର ପ୍ରଭାବ ଅଧିକ ରହିବ । ଏସବୁ ଜିଲ୍ଲାରେ ଅତିପ୍ରବଳ ବର୍ଷା ସହ ପବନ ବହିବ । ପାର୍ଶ୍ୱବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଂଜ, କେନ୍ଦୁଝର ଓ ଢେଙ୍କାନାଳରେ ବି ପ୍ରବଳ ବର୍ଷାହେବ ବୋଲି ପାଣିପାଗ ବିଭାଗ ସୂଚନାନ ଦେଇଛି । କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ିପାରେ । କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ସମୁଦ୍ରରେ ୧ରୁ ୨ ମିଟର ଯାଏଁ ଜୁଆର ଆସିବ । ବାତ୍ୟା ପାଇଁ ପୁରୀ, ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦରରେ ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛି । ୧୩ ଜିଲ୍ଲାରେ ୧୮୨ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଥିବାବେଳେ ୫୧ ଓଡ୍ରାଫ୍ ଓ ୧୯ ଏନଡିଆରଏଫ୍ ଟିମ୍ ସାଜ ସରଞ୍ଜାମ ଧରି ସଜାଗ ଅଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଆଲର୍ଟ ଜାରି ହୋଇଛି ।