ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ,ଗୁରୁବାର ରାତିରୁ ଶୁକ୍ରବାର ସକାଳେ ଲ୍ୟାଣ୍ଡଫଲ

ଭୁବନେଶ୍ୱର(ରାଜ୍ୟକାହାଣୀ) ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇଛି। ବର୍ତମାନ ଏହା ପାରାଦ୍ୱୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କିମି ଦୂରତାରେ କେନ୍ଦ୍ରୀଭୂତ ଅଛି। ଆସନ୍ତାକାଲି ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଆସନ୍ତା ୨୪ ତାରିଖ ମଧ୍ୟରାତ୍ରିରେ ଏହା କେନ୍ଦ୍ରାପଡ଼ା ଓ ଭଦ୍ରକ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ସ୍ଥଳଭାଗରେ ପ୍ରବେଶ କଲା ବେଳେ ବାତ୍ୟା ଭୀଷଣ ରୂପରେ ଥିବ । ଘଣ୍ଟା ପ୍ରତି  ୧୧୦ରୁ ୧୨୦ କିଲୋମିଟର ବେଗରେ ଧକ୍କା ଦେବ ପବନ । ଭିତରକନିକାରେ  ତାଣ୍ଡବ ରଚାଇ ଭଦ୍ରକ ଜିଲ୍ଲାରେ ପଶିବ ।  ଯାଜପୁର, କେନ୍ଦୁଝର ଦେଇ ମୟୂରଭଞ୍ଜ ଦିଗରେ ମୁହାଁଇବ ।ଆସନ୍ତା ୨୪ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର ଏବଂ କଟକ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ଓ୍ବାର୍ନିଂ ଜାରି କରାଯାଇଛି । ସେହିପରି ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, କଟକ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହି ଜିଲାଗୁଡ଼ିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜଓ୍ବାର୍ନିଂ ଜାରି କରାଯାଇଛି। ଖୋର୍ଦ୍ଧା, କଟକ, ପୁରୀ ଜିଲାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୫ ତାରିଖରେ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ଏହି ଜିଲାଗୁଡ଼ିକ ପାଇଁ ରେଡ୍‌ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକ, ଅନୁଗୋଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟାର ଦୁଇଟି ଗତିପଥ ସମ୍ଭାବନା ଅଛି । ପ୍ରଥମ ଆକଳନ ହେଉଛି ଏହା ଚାନ୍ଦବାଲିରୁ  ଦୀଘା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ । ଦ୍ୱିତୀୟ ଆକଳନ  ହେଉଛି, ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପରେ ପହଞ୍ଚିବ ।  ଏଭଳି ହେଲେ ଓଡ଼ିଶା ବର୍ଷା ଓ ପବନରୁ ବର୍ତ୍ତିଯିବ ।  ତେବେ ୨୩ ତାରିଖରେ ଏହାର ଗତିପଥ ସ୍ପଷ୍ଟ ହେବ ।

Leave A Reply

Your email address will not be published.

three − one =