ଭୁବନେଶ୍ଵର ( ରାଜ୍ୟ କାହାଣୀ) ହାତରେ ଗୋଟିଏ ହାତରେ ସାଲାଇନ୍ ଲାଗିଛି । ଆର ହାତରେ ରୋଗୀଙ୍କ ପାଇଁ ଔଷଧ ଲେଖା ଚାଲିଛି। ଏହାକୁ ହିଁ ତ କୁହାଯାଏ, ମାନବ ସେବା । ଗଜପତି ଜିଲ୍ଲା ରାମଗିରି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଘଟଣା। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଛନ୍ତି ଏକମାତ୍ର ଡାକ୍ତର ବ୍ରଜରାଜ କର। ହେଲେ ଏବେ ସେ ନିଜେ ଅସୁସ୍ଥ ଅଛନ୍ତି।ଇନଫେକସନ୍ ଯୋଗୁଁ ଇଂଜେକସନ୍ ଓ ସାଲାଇନ୍ ଚାଲିଛି । ଫାର୍ମାଶିଷ୍ଟ ତାଙ୍କୁ ସାଲାଇନ୍ ଲଗାଉଛନ୍ତି । ସେ କିନ୍ତୁ ବିଶ୍ରାମ ନେବା ବଦଳରେ ସେବା କରି ଆସୁଛନ୍ତି । ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପ୍ରେସିକ୍ରିପସନ୍ ଲେଖୁଛନ୍ତି । ପଚାରିଲେ କୁହନ୍ତି, ଲକ୍ଷଲକ୍ଷ ଲୋକଙ୍କ ଭରସାର କେନ୍ଦ୍ର ଏହି ଡାକ୍ତରଖାନା । ପାଖରେ ଆଉ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ କି ଏ ଡାକ୍ତରଖାନାରେ ଆଉ ଡାକ୍ତର ନାହାନ୍ତି ।
ଅସୁସ୍ଥତା ଯୋଗୁଁ ଯଦି ସେ ଛୁଟି ନେବେ କି ବିଶ୍ରାମ ନେବେ ତେବେ ରୋଗୀ ହଇରାଣ ହେବେ । ଯାହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ସମସ୍ତଙ୍କ ଓଠରେ ଗୋଟିଏ କଥା ଡାକ୍ତର ହେବ ତ ବ୍ରଜରାଜଙ୍କ ପରି।