ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଗୁଳି ଚଳାଇଛି ଶ୍ରୀଲଙ୍କା ନୌସେନା । ଏଥିରେ ୫ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ଦେଇ ଶ୍ରୀଲଙ୍କା ନୌସେନାର କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଛି । ମନ୍ତ୍ରଣାଳୟ ଏ ନେଇ ଶ୍ରୀଲଙ୍କାର ଉଚ୍ଚାୟୁକ୍ତଙ୍କୁ ତଲବ କରିଛି ।ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ମଙ୍ଗଳବାର ସକାଳେ ଡେଲଫ୍ଟ ଦ୍ୱୀପ ନିକଟରେ ୧୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବା ପାଇଁ ଶ୍ରୀଲଙ୍କା ନୌସେନା ଦ୍ୱାରା ଗୁଳିମାଡ଼ ଖବର ହସ୍ତଗତ ହୋଇଛି । ଏଭଳି ପଦକ୍ଷେପ ଅଗ୍ରହଣୀୟ । ଏମ୍ଇଏ କହିଛି, ‘ମାଛ ଧରିବା ପାଇଁ ଯାଇଥିବା ଡଙ୍ଗାରେ ଥିବା ୧୩ ଭାରତୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଜାଫନା ଟିଚିଙ୍ଗ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି । ଜାଫାନାରେ ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀ ଆହତ ମତ୍ସ୍ୟଜୀବୀଙ୍କୁ ଭେଟି ଯଥାସମ୍ଭବ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।’ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ମଙ୍ଗଳବାର ସକାଳେ ନୂଆଦିଲ୍ଲୀରେ ଦ୍ୱୀପର ହାଇ କମିଶନରଙ୍କୁ ସମନ କରାଯାଇ ଘଟଣାକୁ ତୀବ୍ର ବିରୋଧ କରାଯାଇଛି । ସେପଟେ କଲମ୍ବୋରେ ଥିବା ଭାରତୀୟ ଉଚ୍ଚ ଆୟୋଗ ମଧ୍ୟ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ପାଖରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।