ଭୁବନେଶ୍ୱର(ରାଜ୍ୟକାହାଣୀ ) ହଂସିତା-ଅନିଲ ଗିରଫ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନିଲ । ଯୁବତୀ ଚାଲାଣ କରିଥିବା ନେଇ ତଥ୍ୟ ପାଇଛି ପୋଲିସ । ଏନେଇ ପୋଲିସ ଖୋଳତାଡ଼ କରିବ । ଝାଡ଼ଖଣ୍ଡରୁ କଲଗାର୍ଲ୍ ଆଣି କାହାକୁ ଯୋଗାଇଥିଲେ ହଂସିତା, ତାର ଛାନଭିନ କରିବ କମିଶନରେଟ ପୋଲିସ । ଗତ ଜାନୁଆରୀ ୧୯ ତାରିଖରେ ଇନଫୋସିଟି ଥାନାରେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ର ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ଏମ୍.କେ ଦାସ ଏକ ଏତଲା ଦେଇଥିଲେ । ଏତଲାରେ ହଂସିତା ଦେଶ-ବିଦେଶରୁ ଯୁବତୀଙ୍କୁ ଆଣି ନେତା, ଖଣି ବ୍ୟବସାୟୀ ଓ ବଡ଼ ବଡ଼ ଅଧିକାରୀମାନଙ୍କ ପାଖକୁ ପଠାଉଥିବା ଅଭିଯୋଗ କରିଥିଲେ । ସେହି ଯୁବତୀଙ୍କ ଜରିଆରେ ବଡ ବଡ ଲୋକଙ୍କ ସହ ଅନ୍ତରଙ୍ଗ ସମୟର ଫଟୋ ସଂଗ୍ରହ କରୁଥିଲେ ହଂସିତା । ତା’ପରେ ସେ ଫଟୋ ଜରିଆରେ ବ୍ଲାକ୍ ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ବୋଲି ହଂସିକାଙ୍କ ମୋବାଇଲ୍ରୁ ତଥ୍ୟ ମିଳିବା ପରେ ଥାନାରେ ଅଭିଯୋଗ କରିଥିଲେ ଏମ.କେ ଦାସ ।ସୂଚନାଯୋଗ୍ୟ ଯେ, ହଂସିତା ଓ ଅନିଲ ଗତ ୩ ବର୍ଷରେ ୧୨୦ କୋଟି ଟଙ୍କାର କାରବାର କରିଛନ୍ତି । ସେଥିରୁ ୬୦ କୋଟି ଟଙ୍କାର କାରବାରରେ ଟିକସ ସମ୍ପର୍କରେ ଅନିଲ ଓ ହଂସିତା ତଥ୍ୟ ଦେଇ ପାରୁନାହାନ୍ତି । ଦୁଇ ମହାଠକଙ୍କୁ ଟଙ୍କା କାରବାରର ହିସାବ ମାଗିଛି ଆୟକର ବିଭାଗ । ଏହି ବେନାମୀ ଟଙ୍କା କାରବାର ପଛରେ ବହୁ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।