ଭୁବନେଶ୍ୱର(ରାଜ୍ୟକାହାଣୀ ) ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ଏବେ ମୁଖ୍ୟ ପ୍ରଶାସକଙ୍କୁ ଜବାବ ମାଗିଛନ୍ତି, ହାଇକୋର୍ଟ । ହ୍ବିଲ ଚେୟାର ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରି କିଛି ଏପରି କହିଛନ୍ତି କୋର୍ଟ ।ଫେବ୍ରୁଆରି ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ତେବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ବିଶେଷ କରି ଯେଉଁମାନେ ହ୍ବିଲ୍ ଚେୟାର ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଯାହାକୁ କାର୍ଯ୍ୟକାରୀ ନକରାଯିବାରୁ ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଏହାକୁ ଅତି ଗୁରୁତ୍ବର ସହ ନେଇ, ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିବା ସହିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ମାମଲାର ବିବରଣୀରୁ ପ୍ରକାଶ ଯେ ଦିବ୍ୟାଙ୍ଗ ବିଶେଷ କରି ହ୍ବିଲଚେୟାର ଉପରେ ନିର୍ଭର କରୁଥିବା ଏପରି ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଉ ବୋଲି ଦର୍ଶାଇ ଏହି ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଛି। ଆବେଦନକାରୀଙ୍କ ତରଫରୁ ଦାୟର ମାମଲାରେ ଏ ନେଇ ଶ୍ରୀଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସୁପ୍ରିମକୋର୍ଟଙ୍କ ୨୦୧୯, ନଭେମ୍ବର ୪ର ନିର୍ଦ୍ଦେଶରେ ଏହି କଥା ଉଲ୍ଲେଖ କରାଯାଇଥିଲା। ସେତେବେଳେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କହିଥିଲା ଯେ ଦିବ୍ୟାଙ୍ଗଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଦିବ୍ୟାଙ୍ଗଙ୍କ ପାଇଁ ଏପରି କିଛି ବ୍ୟବସ୍ଥା କରାଯାଇ ନାହିଁ।