ଭୁବନେଶ୍ୱର(ରାଜ୍ୟକାହାଣୀ) ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। ଶୀତ ଦିନରେ ଚିଲିକାର ପ୍ରମୁଖ ଆକର୍ଷଣ ପାଲଟିଥିବା ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍)ଙ୍କ ଅବସ୍ଥିତି ଜାଣିବାକୁ ଦୁଇଟି ପକ୍ଷୀଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯାଇଛି। ଡେରାଡୁନ୍ସ୍ଥିତ ବନ୍ୟପ୍ରାଣୀ ସଙ୍ଗଠନ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବୈଷୟିକ ସହାୟତାରେ ଜିଏସ୍ଏମ୍-ଜିପିଏସ୍ ସମ୍ବଳିତ ଟ୍ୟାଗିଂ ଅନୁସନ୍ଧାନ ଆରମ୍ଭ ହୋଇଛି। ଏହି ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଆର. ସୁରେଶ କୁମାରଙ୍କ ନେତୃତ୍ୱରେ ଏବଂ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ଗତ ୮ ଓ ୯ ତାରିଖରେ ଚିଲିକାର ନଳବଣରୁ ଦୁଇଟି ଗ୍ରେଟର ଫ୍ଲେମିଙ୍ଗୋକୁ ସଫଳତାର ସହ ଧରି ଟ୍ୟାଗ୍ କରାଯାଇଛି।ଫ୍ଲେମିଙ୍ଗୋ ଦ୍ବୟକୁ ୩୦ ଗ୍ରାମ ଓଜନର ଏକ ସୌରଚାଳିତ ଟ୍ରାନ୍ସମିଟର ସହିତ ଟ୍ୟାଗ୍ କରାଯାଇଛି, ଯାହାକି ପ୍ରତି ୧୦ ମିନିଟ୍ରେ ପକ୍ଷୀମାନଙ୍କ ଉପସ୍ଥିତି ରେକର୍ଡ କରିବ। ଏହି ଉପକରଣଟି ଶୀତ ଋତୁରେ ଫ୍ଲେମିଙ୍ଗୋଙ୍କର ଚିଲିକା ଜଳରାଶି ଆଭ୍ୟନ୍ତରୀଣ ଚଳପ୍ରଚଳ ଓ ବ୍ୟବହାରକୁ ବୁଝିବାରେ ସହାୟକ ହେବ। ବନ ବିଭାଗକୁ ଗ୍ରେଟର୍ ଫ୍ଲେମିଙ୍ଗୋଙ୍କ ବାସସ୍ଥାନ ପରିଚାଳନା ଏବଂ ସଂରକ୍ଷଣ ଉପରେ ପ୍ରମାଣ-ଭିତ୍ତିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ।ତେବେ ଅଦ୍ୟାବଧି ଫ୍ଲେମିଙ୍ଗୋ କେଉଁଠାରୁ ଆସିଥା’ନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ। କୁହାଯାଉଛି ଯେ ଗ୍ରେଟର ଫ୍ଲେମିଙ୍ଗୋ ଗୁଜୁରାଟ କଚ୍ଛର ରନ୍ରେ ‘ଫ୍ଲେମିଙ୍ଗୋ ସିଟି’ ଭାବରେ ପରିଚିତ ଏକ ଅଞ୍ଚଳରେ ପ୍ରଜନନ କରନ୍ତି। ଶୀତ ଦିନରେ ଆସୁଥିବା ଫ୍ଲେମିଙ୍ଗୋ ପକ୍ଷୀ ସମ୍ଭବତଃ ସେହି ଅଞ୍ଚଳରୁ ଆସୁଥାଇପାରନ୍ତି। ତଥାପି ସେମାନେ ଏସିଆ ମହାଦେଶର ଇରାନ, କାଜାଖ୍ସ୍ତାନ ଅଞ୍ଚଳରୁ ଆସିଥାଇ ପାରନ୍ତି ବୋଲି ବିଏନ୍ଏଚ୍ଏସ୍ର ପୂର୍ବ ଗବେଷଣାରୁ ଜଣାପଡିଛି।